ଆଜି ଆଇପିଏଲ୍ ପାଇବ ୨ଟି ନୂଆ ଟିମ୍, ଦୁବାଇରେ ହେବ ଘୋଷଣା
- ଦଳ ସଂଖ୍ୟା ୧୦କୁ ବୃଦ୍ଧି ପାଇବ
ଦୁବାଇ : ଆଇପିଏଲ ପାଇବ ଆଉ ୨ଟି ନୂଆ ଟିମ୍ । ଫଳରେ ଆଇପିଏଲରେ ମୋଟ ଦଳ ସଂଖ୍ୟା ୧୦କୁ ବୃଦ୍ଧି ପାଇବ। ଏନେଇ ଆଜି ଦୁବାଇରେ ଘୋଷଣା କରାଯିବ। ନୂଆ ଟିମରେ କଟକ ସାମିଲ ହେଵ କି ନାହିଁ ଆଜି ସ୍ପଷ୍ଟ ହେବ । କଟକ ସହ ଲକ୍ଷ୍ନୌ, ଅହମ୍ମଦାଵାଦ୍, ଇନ୍ଦୋର, ଧର୍ମଶାଳା, ଗୌହାଟୀ ମଧ୍ୟ ନୂଆ ଟିମ୍ ରେସରେ ଅଛନ୍ତି । କିଏ ବିଜେତା ହେବ ସେ ନେଇ ଆଜି ସ୍ପଷ୍ଟ ହେବ ।
ଆଜି ଦୁଵାଇରେ ଖୋଲାଯିବ ଵିଡ୍ ପେପର । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍ର ବେସ୍ ପ୍ରାଇସ୍ (ମୂଲ୍ୟ ଦର) ୨୦୦୦ କୋଟି ରଖିଛି । ମୋଟ୍ ୨୨ଟି କମ୍ପାନୀ ନୂଆ ଟିମ୍ କିଣିଵା ପାଇଁ ଵିଡିଙ୍ଗ କରିଛନ୍ତି । ପ୍ରମୁଖ ଵିଡର୍ ମଧ୍ୟରେ ଅଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ କ୍ଲଵ ମାଲିକ । ଜିନ୍ଦଲ ଷ୍ଟିଲ, ଟରେଣ୍ଟ ଫାର୍ମା ଓ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ମଧ୍ୟ ଵିଡିଙ୍ଗରେ ସାମିଲ ହୋଇଛନ୍ତି । ମୋଟ ୬ଟି ସହର ମଧ୍ୟରୁ ଦୁଇଟି ସହରକୁ ନେଇ ହେବ ନୂଆ ଫ୍ରାଞ୍ଚାଇଜ୍ । ଆଗାମୀ ସିଜିନରେ ଏହି ୨ଟି ନୂଆ ଟିମ୍କୁ ସାମିଲ କରାଯିବାର ସୂଚନା ମିଳିଛି । ବିସିସିଆଇ ୨ଟି ନୂଆ ଦଳ ନିଲାମରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ଠାରୁ ୭ରୁ ୧୦କୋଟି ଟଙ୍କା ପାଇବା ଆଶା କରାଯାଉଛି । ନିଲାମରେ ଦେଶର ସବୁଠୁ ନାମୀଦାମୀ କମ୍ପାନୀ ଭାଗ ନେଉଥିବାରୁ ବିସିସିଆଇ ଅଧିକ ଆୟ କରିବା ସମ୍ଭାବନା ମଧ୍ୟ ରହିଛି । ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ ଏବଂ ତାଙ୍କ ଗ୍ରୁପ୍, ଆରପିଏସଜି ଗ୍ରୁପର ସଂଜୀବ ଗୋଏଙ୍କା ପ୍ରମୁଖ ନିଲାମରେ ସାମିଲ ହେଉଛନ୍ତି । ଗୋଏଙ୍କା ପୂର୍ବରୁ ପୁଣେ ସୁପରଜ୍ୟାଂଟସ୍ କିଣିଥିଲେ । ଏଥର ଓଡ଼ିଶାରୁ ଏକ ନୂଆ ଆଇପିଏଲ୍ ଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ଶିଳ୍ପପତି ନବୀନ ଜିନ୍ଦଲ ମଧ୍ୟ ନିଲାମରେ ଭାଗ ନେଉଛନ୍ତି । ସେ ନିଲାମରେ ସଫଳ ହେଲେ କଟକରୁ ଏହି ଦଳ ଖେଳିବା ସମ୍ଭାବନା ରହିଛି ।
