ଟି-୨୦ ବିଶ୍ୱକପ : ବିଜୟ ଧାରା ଅଟକିଲା, ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇଲା ପାକିସ୍ତାନ
ଦୁବାଇ : ବଦଳିଲା ଇତିହାସ । ଭାରତର ବିଜୟ ଧାରା ଅଟକିଲା । ଦଳଗତ ପ୍ରଦର୍ଶନ ବଳରେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇଲା ପାକିସ୍ତାନ । ୧୩୦ କୋଟି ଜନତାଙ୍କୁ ନିରାଶ କଲା ବିରାଟ ବାହିନୀ। ଟି-୨୦ ବିଶ୍ଵ କପ୍ରେ ଲଗାତାର ୫ ମୁକାବିଲା ହାରିବା ପରେ ପାକିସ୍ତାନ ବିଜୟ ହାସଲ କରିଛି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହାମୁକାବିାଲରେ ପାକିସ୍ତାନ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଅବିଶ୍ଵସନୀୟ ପ୍ରଦର୍ଶନ କରି ଭାରତକୁ ୧୦ ଓ୍ଵିକେଟ୍ରେ ମାତ୍ ଦେଇ ସହୟ ବିଜୟ ହାସଲ କରିଛି। ବିଜୟ ସହ ପାକିସ୍ତାନ ନିଜର ଟି-୨୦ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିଥିବା ବେଳେ ପରାଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଭାରତ। ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ୱକପ୍ ମୁକାବିଲାରେ ୫ ଥର ବିଜୟ ହାସଲ କରିଥିବା ବେଳେ ପ୍ରଥମ ଥର ପାଇଁ ରବିବାର ପରାସ୍ତ ହୋଇଛି। ଭାରତକୁ ପାକିସ୍ତାନ ୧୦ ଓ୍ଵିକେଟ୍ରେ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ନିଜର ଖ୍ୟାତି ଅନୁରୂପ ବ୍ୟାଟିଂ କରିନ ପାରି ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୭ ରନର ଇନିଂସ କରିଥିବା ବେଳେ ଋଷଭ ପନ୍ତ ୩୯ ରନ କରିଥିଲେ। ଜବାବରେ ପାକିସ୍ତାନ ଦୁଇ ଓପନର ବାବର ଆଜମ ୬୮ ଏବଂ ରିଜଓ୍ଵାନଙ୍କ ୭୯ ଦମଦାର ଅର୍ଦ୍ଧଶତକୀୟ ଅପରାଜିତ ଇନିଂସ ବଳରେ ୧୭.୫ ଓଭରରେ ୧୦ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୁଇ ଓପନର ୧୫୨ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଓପନର ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୩ ରନ କରି ଆଉଟ ହୋଇଛନ୍ତି । ପରେ ବିରାଟ କୋହଲି ଅଧିନାୟକତ୍ବ ପାରି ଖେଳିଛନ୍ତି । କୋହଲି ୪୯ ବଲରୁ ୫ ଚୌକା ଏବଂ ୧ ଛକା ସହାୟତାରେ ୫୭ ରନକରି ଆଉଟ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୧ ରନ କରି ଆଉଟ ହୋଇଛନ୍ତି । ଋଷଭ ପନ୍ତ ୩୦ ବଲ ଖେଳି ୨ ଚୌକା ଏବଂ ୨ ଛକା ସହାୟତାରେ ୩୯ ରନକରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ୧୩ ରନ କରି ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୧ ରନକରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୫ ରନ ଏବଂ ମହମ୍ମଦ ସାମି ୦ ରନକରି ଅପରାଜିତ ଅଛନ୍ତି । ପାକିସ୍ତାନ ପକ୍ଷରୁ ଦୃତ ବୋଲର ସାହୀନ ଆଫ୍ରିଦି ପ୍ରଥମରୁ ଭାରତର ୨ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଆଫ୍ରିଦି ୪ ଓଭର ବୋଲିଂ କରି ୩୧ ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ଇମାଦ ଓ୍ବାସିମ୍ ୨ ଓଭରରେ ୧୦ ରନ, ହାସନ ଅଲ୍ଲୀ ୪ ଓଭରରେ ୪୪ ରନ ୨ ଓ୍ବିକେଟ, ସଦାମ ଖାନ ୪ ଓଭରରେ ୨୨ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି । ମହମ୍ମଦ ହାଫିଜ୍ ୨ ସଭରରେ ୧୨ ରନ ଏବଂ ହାରିସ୍ ରୌଫ୍ ୪ ଓଭରରେ ୨୫ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
୧୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ଦୁଇ ଓପନର ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଭାରତର କୌଣସି ବୋଲର ପାକିସ୍ତାନ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ। ଏହି କ୍ରମରେ ପ୍ରଥମେ ବାବର ଏବଂ ରିଜଓ୍ଵାନ ଅର୍ଦ୍ଧଶତକ ହାସଲ କରିଥିଲେ। ବାବର ୫୨ ବଲ୍ରୁ ୬ ଚୌକା ଓ ୨ ଛକା ସହ ୬୮ ରନ କରିଥିବା ବେଳେ ମହମ୍ମଦ ରିଜଓ୍ଵାନ ୫୫ ବଲ୍ରୁ ୬ ଚୌକା ଓ ୩ ଛକା ସହ ୭୯ ରନ କରି ଅପରାଜିତ ଥିଲେ। ଅବିଭାଜିତ ପ୍ରଥମ ଓ୍ଵିକେଟ୍ରେ ବାବର ଆଜମ ଓ ରିଜଓ୍ଵାନ ୧୫୨ ରନ ଯୋଡିଛନ୍ତି। ଏଥିସହ ପାକିସ୍ତାନ ମ୍ୟାଚ୍କୁ ୧୭.୫ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ମୁକାବିଲା ଜିତି ନେଇଛି। ଭାରତ ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
