ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି
କଟକ : ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି । ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଂଜନ ଦାଶ ଆଜି ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ । ଶନିବାର ଅପରାହ୍ନ ୩ଟା ୩୦ମିନିଟରେ ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଦୁଇ ନୂଆ ବିଚାରପତିଙ୍କ ସହ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବୃଦ୍ଧି ପାଇବ ।
ସୂଚନା ଯେ,୨୦୨୨ ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କ ନାଁ ସୁପାରିସ କରିଥିଲା। ଗତ ଶୁକ୍ରବାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା। ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବେ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ୧୯୭୨, ଏପ୍ରିଲ ୨୫ରେ ଜନ୍ମ ଗ୍ରହଣ କରିଥିଲେ। ସେହିଭଳି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଚିତ୍ତରଂଜନ ଦାଶ ୧୯୬୪, ନଭେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିଲେ। ସେ ଏବେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଅଛନ୍ତି।
