ବିବାଦୀୟ ମାନଚ୍ଚିତ୍ର ଓ୍ଵେବସାଇଟ୍ରୁ ହଟାଇ ଭୁଲ୍ ସୁଧାରିଲା ଟ୍ଵିଟର
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ଓ ଲଦାଖକୁ ନିଜ ଓ୍ଵେବସାଇଟ୍ରେ ଅଲଗା ଦେଶ ଦର୍ଶାଇ ନିଶାଣରେ ଆସିଥିବା ଟ୍ଵିଟର ନିଜର ଭୁଲ୍ ସୁଧାରିଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଟ୍ଵିଟର ବିବାଦୀୟ ମାନଚ୍ଚିତ୍ରକୁ ଓ୍ଵେବସାଇଟ୍ରୁ ହଟାଇ ଦେଇଛି। ସୋମବାର ଅପରାହ୍ନରେ ମାମଲା ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଙ୍କେତ ମିଳିଥିଲା। ଏହାର କିଛି ଘଣ୍ଟା ଭିତରେ ଟ୍ଵିଟର ଓ୍ଵେବସାଇଟ୍ରୁ ବିବାଦୀୟ ମାନଚ୍ଚିତ୍ର ହଟାଇ ଦେଇଛି।
ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମକୁ ଭାରତ ସରକାରଙ୍କ ସହ ଜାରି ଗତିରୋଧ ମଧ୍ୟରେ ସୋମବାର ଟ୍ଵିଟର ଭାରତର ମାନଚ୍ଚିତ୍ରକୁ ବିକୃତ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଦେଶ ଭାବେ ଚିତ୍ରଣ କରିଥିଲା। ଏହା ପରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସାମାଜିକ ଗଣମାଧ୍ୟମର ଏହି ଦିଗ୍ଜ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଥିଲା। ଏହା ପୂର୍ବରୁ ମଧ୍ୟ ଟ୍ଵିଟର ଭାରତର ମାନଚ୍ଚିତ୍ରକୁ ଭୁଲ୍ ଦର୍ଶାଇଛି। ଲେହକୁ ଚୀନର ଅଂଶ ଭାବେ ପୂର୍ବରୁ ଦର୍ଶାଇ ସାରିଛି ଟ୍ଵିଟର।
