ଦେଶରେ ଆଉ ୩୭,୫୬୬ କରୋନା ସଂକ୍ରମିତ ଚିହ୍ନଟ ଓ ୯୦୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ସେହିପରି ଦେଶରେ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି । ସେହିପରି ଆରୋଗ୍ୟ ହାର ୯୬.୮୭ ପ୍ରତିଶତ ରହିଥିବାର ଜଣାପଡିଛି ।
ମଙ୍ଗଳବାର ଗତ ୨୪ଘଣ୍ଟାରେ ୩୭ହଜାର ୫୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୭ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୫୬ହଜାର ୯୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩ଲକ୍ଷ ୧୬ହଜାର ୮୯୭ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୭ହଜାର ୬୩୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୩ଲକ୍ଷ ୬୬ହଜାର ୬୦୧ଜଣ ସୁସ୍ଥ ହୋଇଥିବା ବେଳେ ୫ଲକ୍ଷ ୫୨ହଜାର ୬୫୯ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
