ବାଲେଶ୍ୱର ଜିଲା ବରିଷ୍ଠ ନାଗରିକମଞ୍ଚର ଦ୍ୱାଦଶତମ ପ୍ରତିଷ୍ଠାଦିବସ ସମାରୋହ
- ବରିଷ୍ଠ ନାଗରିକଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ସର୍ବଦା ସଚେତନ : ଜିଲାପାଳ
- ସମାଜର ଦିଗ୍ଦର୍ଶନ ବରିଷ୍ଠ ନାଗରିକ : ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଜିଲା ବରିଷ୍ଠ ନାଗରିକମଞ୍ଚର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦ୍ୱାଦଶତମ ପ୍ରତିଷ୍ଠା ଦିବସ ଓ ସାଧାରଣ ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ସର୍ବଦା ସଚେତନ ଅଛନ୍ତି ବୋଲି କହିଥିଲେ । ସେହିପରି ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଏମସ୍ ହସ୍ପିଟାଲ୍ ନିକଟରେ ବରିଷ୍ଠ ନାଗିରକମାନଙ୍କ ପାଇଁ ସମନ୍ୱିତ ପୁନଃର୍ବାସ ଓ ଥଇଥାନ ଯୋଜନାରେ ପ୍ରାୟ ୧୫ ଏକର ପରିମିତ ଜମି ଚିହ୍ନଟ କରାଯାଇଛି । ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ଗ୍ରହଣ କରିଥିବା ଯୋଜନା ସମ୍ପର୍କରେ ଜଣାଇଥିଲେ । ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜର ଦିଗ୍ଦର୍ଶନ ବୋଲି ଶ୍ରୀ ଦାସ ମତ ଦେଇଥିଲେ । ସମ୍ମାନିତ ଅତିଥି ଡ. ରମାକାନ୍ତ ବେହେରା ଓ ପୂର୍ବତନ ବିଧାୟକ ସୁଶାନ୍ତ ଚନ୍ଦ ସେମାନଙ୍କ ବକ୍ତବ୍ୟରେ ବରିଷ୍ଠମାନଙ୍କର ଅବଦାନକୁ ସମାଜ ଉପଯୁକ୍ତ ସମ୍ମାନ ଦେବା ଉଚିତ୍ ବୋଲି ମତ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନର ମୁଖପତ୍ର ‘ସାୟାହ୍ନ’କୁ ଅତିଥିମାନେ ଉଦ୍ଘାଟନ କରିଥିଲେ । ସମସ୍ତ ଅଧିବେଶନରେ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ବିବରଣୀ ଉପସ୍ଥାପିତ କରି ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ସଠିକ୍ କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ କରିଥିଲେ । ବରିଷ୍ଠ ନାଗରିକମାନଙ୍କ ଅଭିଯୋଗର ସମାଧାନ ପାଇଁ ଜିଲାସ୍ତରରେ ଉଦ୍ଦିଷ୍ଟ ପ୍ରକୋଷ୍ଠ ଗତ ଦୁଇବର୍ଷ ଧରି ତାଲା ପଡ଼ି ରହିଥିବାର କହିଥିଲେ । ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ମାସିକଭତ୍ତା ପରିମାଣ ଏକ ହଜାର ଟଙ୍କା ପ୍ରଦାନ ପାଇଁ ଶ୍ରୀ ବେହେରା ଦାବି କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରିଥିବାବେଳେ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ବିଭିନ୍ନ ବ୍ଲକ୍ ଓ ଆଞ୍ଚଳିକ କମିଟି ତରଫରୁ ନାରାୟଣ ଚନ୍ଦ୍ର ସାହୁ, ଶରତ କୁମାର ବିଶ୍ୱାଳ, କୁମୁଦ ରଂଜନ ଗିରି, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବିରେନ୍ଦ୍ର କୁମାର ନାୟକ, ଚକ୍ରଧର ସେଠୀ, ଦାମୋଦର ଦାଶମହାପାତ୍ର, ଜନତ୍ ହୁସେନ୍, କବି ଲୋଚନ ବେହେରା, ଉମେଶ ଚନ୍ଦ୍ର ନାୟକ, ଦେବବ୍ରତ ପାଣିଗ୍ରାହୀ, ବିଜୟ କୁମାର ନନ୍ଦ, ରଘୁନାଥ ମହାନ୍ତି, ପ୍ରଫୁଲ୍ଲ କୁମାର ସୁର, ସୁବୋଧ ଚନ୍ଦ୍ର ପାତ୍ର, ମହେନ୍ଦ୍ର ପ୍ରସାଦ ନାୟକ, ପୁରୁଷୋତ୍ତମ ସାହୁ, ଅନନ୍ତ ଦାସ ଓ ବିଧାନ ଚନ୍ଦ୍ର ରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବରିଷ୍ଠନାଗରିକମାନେ ଗ୍ରାମାଞ୍ଚଳରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆସନ୍ତା ୩ବର୍ଷ ପାଇଁ ୬୧ଜଣ କର୍ମକର୍ତ୍ତାଙ୍କ ନାମତାଲିକା ସର୍ବସମ୍ମତ୍ତିକ୍ରମେ ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଯଶୋଦାନନ୍ଦନ ଆସ୍, ପ୍ରଭାସିନି କର, ଲକ୍ଷ୍ମୀପ୍ରିୟା ଜେନା, ମଧୁସୂଦନ ଜେନା, ଶ୍ୟାମସୁନ୍ଦର ଜେନା, ନବକୃଷ୍ଣ ପୋଥାଳ, ଦେବେନ୍ଦ୍ର ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । ଲକ୍ଷ୍ମୀନାରାୟଣ ଘୋଷ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।




