ସ୍ଲରି ପାଇପ୍ଲାଇନ୍ ପ୍ରସଙ୍ଗରେ ୩ ବିଧାୟକଙ୍କୁ ଘେରିଲେ ଟ୍ରକମାଲିକ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସ୍ଲରି ପାଇପ୍ଲାଇନ୍ରେ ଲୁହାପଥର ପରିବହନକୁ ଜିଲ୍ଲାର ଟ୍ରକ୍ ମାଲିକମାନେ ବିରୋଧ କରିଆସୁଛନ୍ତି । ହେଲେ, ଏ ଦିଗରେ ଜିଲ୍ଲାର ଜନପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଛନ୍ତି । ଯାହା ଟ୍ରକ୍ ମାଲିକଙ୍କୁ ବ୍ୟଥିତ କରିଛି । ଆଜି ଟ୍ରକ୍ ମାଲିକମାନେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ପହଂଚି ଶାସକ ଦଳର ତିନିଜଣ ବିଧାୟକଙ୍କୁ ଘେରାଉ କରିଛନ୍ତି । ସେମାନେ ହେଲେ, ବିଧାୟକ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ । କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ବ୍ୟବସାୟ ଉପରେ ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି । ଜିଲ୍ଲାରେ ପ୍ରାୟ ୩୦ ହଜାର ଟ୍ରକ୍ ରହିଛି । ସ୍ଲରି ପାଇପ୍ଲାଇନ୍ରେ ଲୁହାପଥର ପରିବହନ ହେଲେ ଟ୍ରକ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବ । ଫଳରେ, ଏହାଉପରେ ନିର୍ଭର କରୁଥିବା ଲୋକେ ଜୀବିକା ହରାଇବେ । ବେକାରୀ ସମସ୍ୟା ବଢ଼ିବ । ମାତ୍ର, ଶାସକଦଳର ନିର୍ବାଚିତ ଜନପ୍ରତିନିଧିମାନେ ଏହି ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ଯାହାର ପ୍ରତିବାଦରେ ଟ୍ରକ୍ ମାଲିକମାନେ କେନ୍ଦୁଝର ଜିଲ୍ଲାର ଏହି ୩ଜଣ ବିଧାୟକଙ୍କୁ ଗିରଫ କରିବା ସହିତ କାହିଁକି ସରକାର ଲୋକଙ୍କ ସମସ୍ୟାକୁ ଦୃଷ୍ଟି ନଦେଇ ସ୍ଲରି ପାଇପ୍ଲାଇନ୍ ବିଛାଇବା ପାଇଁ କମ୍ପାନିମାନଙ୍କୁ ଅନୁମତି ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଆହୁରି ମଧ୍ୟ ସରକାରଙ୍କ ସହ ଏ ଦିଗରେ କାହିଁକି ଆଲୋଚନା କରୁନାହାନ୍ତି ବୋଲି ଟ୍ରକ୍ ମାଲିକମାନେ ବିଧାୟକଙ୍କୁ ପଚାରିଥିଲେ । ବାଂଶପାଳ ନିକଟରେ ସ୍ଲରି ପାଇପ୍ଲାଇନ୍ ବିଛା ଯାଉଥିବାବେଳେ ଟ୍ରକ୍ ମାଲିକମାନେ ଏହାକୁ ବିରୋଧ କରିଆସୁଛନ୍ତି । ହେଲେ, ସେଠାରେ ପୋଡ଼ାଜଳା କରିବା ଅଭିଯୋଗରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ଜଣଙ୍କୁ ଗିରଫ କରିବା ସହ ଏକାଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା । ଯାହାକୁ ସାରା ଜିଲ୍ଲାବାସୀ ନିନ୍ଦା କରିଥିଲେ । ଜିଲ୍ଲାର ଲୋକପ୍ରତିନିଧିମାନେ ଏହି ପ୍ରସଙ୍ଗରେ କାହିଁକି ମୁହଁ ଖୋଲି ନଥିଲେ ବୋଲି ଟ୍ରକ୍ ମାଲିକମାନେ ପ୍ରଶ୍ନ କରିଥିଲେ । ପ୍ରତ୍ୟୁତରରେ ବିଧାୟକ ଶ୍ରୀପାତ୍ର, ଶ୍ରୀ ସେଠୀ ଓ ଶ୍ରୀ ନାଏକ ଏ ପ୍ରସଙ୍ଗରେ ସରକାର ଚିନ୍ତା କରୁଥିବାରେ କହିଥିଲେ । ପରିଶେଷରେ, ଯଦି ଲୋକପ୍ରତିନିଧିମାନେ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବେନାହିଁ, ଆଗାମୀ ଦିନରେ ଲୋକେ ସେମାନଙ୍କ ସହିତ ରହିବେ ନାହିଁ ବୋଲି ଟ୍ରକ୍ ମାଲିକମାନେ ଚେତାବନୀ ଦେଇଥିଲେ । କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୂର୍ଯ୍ୟନାରାୟଣ କର, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ଟ୍ରକ୍ ମାଲିକ ଏହି ଘେରାଉରେ ସାମିଲ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଉଠାଜଳସେଚନ ପାଇଁ ଜିଲ୍ଲା ପାଇଁ ସରକାର ଅନୁଦାନ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ଏଥିପାଇଁ ୩ ବିଧାୟକ ଏକାଠି ହୋଇଥିଲେ ।
