ବିଧାନସଭା ପକ୍ଷରୁ ପଣ୍ଡିତ ନୀଳକଣ୍ଠଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପରିସରରେ ବିଶିଷ୍ଟ ଚିନ୍ତାନାୟକ ତଥା ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୫ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ପୂର୍ବାହ୍ନରେ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ ଆରୁଖ ପଣ୍ଡିତ ନୀଳକଣ୍ଠଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି ବର୍ଣ୍ଣନା କରି ସେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଦର୍ଶ ଶିକ୍ଷକ, ବିଶିଷ୍ଟ ରାଜନୀତିଜ୍ଞ, ଶିକ୍ଷାବିତ୍ ଏବଂ ସମାଜସଂସ୍କାରକ ଭାବେ ଓଡ଼ିଶା ଇତିହାସରେ ସ୍ମରଣୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସରକାର ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ନିମନ୍ତ୍ରିତ ମାନ୍ୟଗଣ୍ୟ ଅତିଥିମାନେ ବାଗ୍ମୀ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପଣ୍ଡିତ ନୀଳକଣ୍ଠଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷଣ କରାଯାଇଥିଲା ।
