ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ସ୍ଥିତ ବ୍ୟାସକବି ନଗରର ଶିବ ମନ୍ଦିର ପରିସରରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା କଟକଣା ଯୋଗୁଁ ଶ୍ରୀ ଦାସ ବିଧାୟକ ଭାବେ ନିର୍ବାଚିତ ହେବାପରେ ଉକ୍ତ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖାଯାଇ ଥିବାବେଳେ ଉତ୍ସବରେ ବିଧାୟକ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଧିବାସୀମାନେ ବ୍ରିଟ୍ ପକ୍ଷରୁ ଆବଣ୍ଟନ ପ୍ଲଟ୍ କିଣିଥିଲେ ମଧ୍ୟ ଦୀର୍ଘବର୍ଷଧରି ଉକ୍ତ ପ୍ଲଟ୍ଗୁଡ଼ିକର ନାମଜାରୀ ନହେବାରୁ ସେମାନେ ବାସସ୍ଥାନର ସରକାରୀ ପ୍ରମାଣପତ୍ର ପାଇପାରୁ ନାହାନ୍ତି । ତେଣୁ ସ୍ଥାନୀୟ ଛାତ୍ରଛାତ୍ରୀ ଶିକ୍ଷାକ୍ଷେତ୍ରରେ ଓ ସରକାରୀ ନିଯୁକ୍ତିରୁ ବଞ୍ôଚତ ହେଉଥିବା ସଂପର୍କରେ ଓ ବ୍ରିଟ୍ ପକ୍ଷରୁ ପ୍ଲଟ୍ ଆବଣ୍ଟନବେଳେ ଖେଳପଡ଼ିଆ ଭାବେ ଦର୍ଶାଯାଇଥିବା ଖେଳପଡ଼ିଆକୁ ପୋଲିସ୍ ବିଭାଗ ତରଫରୁ ଦଖଲ ପାଇଁ ଉଦ୍ୟମ ହେଉଥିବା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ରାସ୍ତା, ଡ୍ରେନ୍ ଓ ରାସ୍ତାଲାଇଟ୍ ପ୍ରଭୃତି ସମସ୍ୟାର ସମାଧାନ ପାଇଁ ପରିଷଦର କର୍ମକର୍ତ୍ତାମାନେ ବିଧାୟକଙ୍କୁ ଅବଗତ କରାଇଥିଲେ । ବିଧାୟକ ଶ୍ରୀ ଦାସ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ପରିଷଦ ତରଫରୁ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଭଗବାନ ମହନୀ ଓ ସରସ୍ୱତୀ ପଣ୍ଡା ପ୍ରମୁଖ ସ୍ଥାନୀୟ ଅଧିବାସୀମାନଙ୍କ ପକ୍ଷରୁ ବିଧାୟକଙ୍କୁ ସମସ୍ୟାଗୁଡ଼ିକ ଅବଗତ କରାଇ ବିଭାଗୀୟ ଅଧିକାରୀମାନଙ୍କ ଜରିଆରେ ସମାଧାନ ପାଇଁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟଙ୍କ ସମେତ ବହୁ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ । ସଭାପତି ରଞ୍ଜନ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
