ପିଏକ୍ସଇର ୧୨୭ତମ ସ୍ଥାପନା ଦିବସ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଡିଆରଡିଓର ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା (ପିଏକ୍ସଇ) ଏହାର ୧୨୭ତମ ସ୍ଥାପନା ଦିବସ ପାଳନ କରିଛି । ପିଏକ୍ସଇର ନିର୍ଦ୍ଦେଶକ ଡିକେ ଯୋଶୀ ପତାକା ଉତ୍ତୋଳନ କରି ଓ ବେଲୁନ ଛାଡ଼ି ଉତ୍ସବର ଉଦ୍ଘାଟନ କରିଥିଲେ । ସେ ତାଙ୍କ ଉଦ୍ଘାଟନ ବକ୍ତବ୍ୟରେ ଅସ୍ତ୍ରଶସ୍ତ୍ରର ଗତିଶୀଳ ପରୀକ୍ଷଣ ଓ ମୂଲ୍ୟାଙ୍କନ କ୍ଷେତ୍ରରେ ଭବିଷ୍ୟତ ଆହ୍ୱାନର ସମ୍ମୁଖୀନ ହେବାପାଇଁ ରେଞ୍ଜ ଇନ୍ଷ୍ଟ୍ରୁମେଣ୍ଟେସନ୍ ସେଟ୍ଅପ୍ର ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଆଟାଗସ୍, ବାଇ ମଡ୍ୟୁଲାର ଚାର୍ଜ ସିଷ୍ଟମ (ବିଏମ୍ସିଏସ୍) ତଥା ମିଜାଇଲ୍ର ବିଭିନ୍ନ ଫ୍ୟୁଜ୍ ସବ୍ସିଷ୍ଟମ୍ର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ପିଏକ୍ସଇର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ପିଏକ୍ସଇର ସମସ୍ତ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବହୁମୂଲ୍ୟ ଅବଦାନକୁ ସ୍ୱୀକାର କରିଥିଲେ ଏବଂ ପିଏକ୍ସଇକୁ ଏକ ବିଶ୍ୱସ୍ତରୀୟ ଅସ୍ତ୍ରସସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ।
ସ୍ଥାପନା ଦିବସ ପରିଚାଳନା ସମିତିର ଅଧ୍ୟକ୍ଷ ତ ଶଙ୍କର୍ଷଣ ପାଢ଼ୀ ସ୍ଥାପନା ଦିବସ ଓ ସ୍ୱାଧୀନତାର ୭୫ତମ ବର୍ଷ ଅବସରରେ ପାଳିତ ଅମୃତ ମହୋତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ । କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ସ୍ଥାପନା ଦିବସ ପାଳନକୁ କେବଳ ଅଳ୍ପ କିଛି କ୍ରୀଡ଼ା ପ୍ରତିଯୋଗିତା ଓ ଅନଲାଇନ ମଧ୍ୟରେ ସୀମିତ ରଖାଯାଇଥିଲା । ଗତ ସେପ୍ଟେମ୍ବର ୭ରୁ ଅକ୍ଟୋବର ୭ ମଧ୍ୟରେ ୧୨ଟି ବିଭିନ୍ନ କଲେଜରୁ ୫୬ଜଣ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ଅନ୍ଲାଇନ୍ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ସ୍ୱାଧୀନତା ପରବର୍ତ୍ତୀ ଭାରତର ପ୍ରତିରକ୍ଷା ପ୍ରସ୍ତୁତି କ୍ଷେତ୍ରରେ ପିଏକ୍ସଇର ଅବଦାନ’ ଏବଂ ‘ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଅନୁସରଣ ପାଇଁ ଡିଆର୍ଡିଓର ଭୂମିକା’ ପ୍ରସଙ୍ଗରେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ପିଏକ୍ସଇ ପରିସରରେ ଗତ ନଭେମ୍ବର ୧ ତାରିଖ ଦି ‘ସ୍ୱଚ୍ଛ ଓ ସବୁଜ ଅଭିଯାନ’ ଅନ୍ତର୍ଗତ ୧୨୭ରୁ ଅଧିକ ଫଳ ଓ ଔଷଧ ଚାରା ରୋପଣ କରାଯାଇଥିଲା । ୨ ତାରିଖରେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୧୨୭ରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ଷେତ୍ରରେ ବହୁମୂଲ୍ୟ ନିମନ୍ତେ ପିଏକ୍ସଇର କର୍ମଚାରୀମାନଙ୍କୁ ଡିଆରଡିଓ ଲ୍ୟାବ୍ସ୍ତରୀୟ ପୁରସ୍କାର, ପ୍ରୁଫ୍ ମ୍ୟାନ ଅଫ୍ ଦି ଇୟର ପୁରସ୍କାର ସମେତ, ବିଭିନ୍ନ ବର୍ଗର ପୁରସ୍କାର ପ୍ରଦାନ କରାଯାଇଥିଲା ।
