ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ତ୍ରି-ଦିବସୀୟ କର୍ମଶାଳା ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ “ଗବେଷଣା ନିବନ୍ଧ ଲିଖନ ନିମିତ୍ତ ଗ୍ରନ୍ଥମିତିୟ ବିଶ୍ଲେଷଣର ଉପଯୋଗିତା ଅନୁଶୀଳନ” ଶୀର୍ଷକ ତ୍ରି-ଦିବସୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି ।
ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ବିଷୟ ବିଶାରଦ ଡ. ଆର୍. ସେଭୁକାନ୍ ଆଭାସୀ ମାଧ୍ୟମରେ ଭିତ୍ତିପ୍ରବକ୍ତା ଭାବରେ ଯୋଗଦେଇ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଗବେଷଣାର ପ୍ରାସଙ୍ଗିକତା ଯେତିକି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥମିତିୟ ବିଶ୍ଳେଷଣର ଉପଯୋଗ ସେତିକି ମହତ୍ତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ ଏବଂ ଆନ୍ତଃବିଦ୍ୟା ଅଧ୍ୟୟନ ଭିତ୍ତିରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏହିପରି ଏକ ବ୍ୟାବହାରିକ ବିଦ୍ୟାରେ କାର୍ମଶାଳା ଆୟୋଜନ କରିବା ବେଶ୍ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ ।
ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତଦେଇ ମୂଲ୍ୟବୋଧ ଭିତ୍ତିକ ଗବେଷଣା ନିମିତ୍ତ ତଥା ସ୍ୱୀକୃତିପ୍ରାପ୍ତ ପତ୍ରିକା ଗୁଡ଼ିକରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶନ ପାଇଁ ଏହି କର୍ମଶାଳା ଅତ୍ୟନ୍ତ ଉପଯୋଗି ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ବିଦ୍ୟାର୍ଥୀ ଓ ଅଧ୍ଯାପକବୃନ୍ଦ ଏଥିରେ ଯୋଗଦାନ ପୂର୍ବକ କର୍ମଶାଳାଟିର ଗୁରୁତ୍ୱ ବୃଦ୍ଧି କରିବା ସହିତ ଶିକ୍ଷାଲାଭ ନିମିତ୍ତ ଆଗ୍ରହ ପ୍ରକାଶ କରିବା ଶୁଭଙ୍କର ସୂଚନା ବୋଲି ପ୍ରକାଶ କରିଥିଲେ ।
ଅନୁରୂପ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ର ପରିଷଦର ନିର୍ଦେଶକ ତଥା ଭୂଗୋଳ ବିଭାଗର ଅଧ୍ୟାପକ ଡ. ନିହାର ରଞ୍ଜନ ରାଉତ ଏକବିଂଶ ଶତାବ୍ଦୀର ଯୁଗୀୟ ବୈଶିଷ୍ଟ୍ୟ ଅନୁସାରୀ ଗବେଷଣାର ପଦ୍ଧତି ଓ ସ୍ୱରୂପକୁ ଦୃଷ୍ଟିରେ ରଖି ଗ୍ରନ୍ଥମିତିୟ ବିଶ୍ଳେଷଣ ଓ ତଜ୍ଜନିତ ଅନୁଶୀଳନ ବିଷୟକ କର୍ମଶାଳା ଆଯୋଜନ କରାଯାଇଥିବା ହେତୁ ଅଂସଗ୍ରହଣ କାରୀଙ୍କ ପାଇଁ ଏହା ଉତ୍ତମ ସୁଯୋଗ ସୃଷ୍ଟି କରିବ ବୋଲି ମତ ଦେଇଥିଲେ । ଡ. ଦେବଦତ୍ତ ଦାସ ଏହି କର୍ମଶାଳାଟି ବିଶେଷତଃ ଗ୍ରନ୍ଥସୂଚୀ ତଥା ଗବେଷଣା କ୍ଷେତ୍ରରେ ଗ୍ରନ୍ଥାୟନୀକରଣ ବିଧାନ ସମ୍ପର୍କରେ ଗବେଷକ-ବିଦ୍ୟାର୍ଥୀଙ୍କ ମଧ୍ୟରେ ଉପଯୁକ୍ତ ଧାରଣା ସୃଷ୍ଟି କରିପାରିବ ବୋଲି ପ୍ରକାଶ କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗବେଷଣା ଏକ ନିରନ୍ତର ପ୍ରକ୍ରିୟା ଏବଂ ସତ୍ୟଶୀଳତଥ୍ୟ ପରିବେଷଣର ମହତ ଉଦ୍ଧେଶ୍ୟ ରୀତିରେ ଏହା ଗବେଷକୁ ସର୍ବଦା ପ୍ରେରଣା ଯୋଗାଇଥାଏ, ଫଳରେ ନୂଆନୂଆ ସିଦ୍ଧାନ୍ତ ଓ ମୀମାଂସା ପ୍ରତିପାଦନର ଧାରାଟି ଅବ୍ୟାହତ ରହିଥାଏ ବୋଲି ମତ ଦେଇଥିଲେ । ଏଥିରେ ଡ. ଅସୀମ ଅମିତାଭ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ପ୍ରହ୍ଲାଦ ଖିଲା କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିରେ ୩୫ ରୁ ଅଧିକ ସଂଖ୍ୟକ ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି ।
