ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା : ବୋଲେରୋ ଉପରେ ଚଢ଼ିଗଲା ଟ୍ରକ୍, ୩ ମୃତ
ବାରିପଦା : ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଓ ବଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ସହିତ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି ।

ଗୁରୁବାର ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଓ ଆହତ ଗୋଟିଏ ପରିବାରରେ ହୋଇଥିବା ଅନୁମାନ କରାଯାଉଛି । ଲୁହା ପଥର ବୋଝେଇ ଟ୍ରକ୍ଟି ବାଙ୍ଗିରିପୋଷି ଘାଟିରୁ ତଳକୁ ଓହ୍ଲାଇଲା ବେଳେ ସମ୍ମୁଖରେ ଯାଉଥିବା ବୋଲେରୋ ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ବୋଲେରୋରେ ଥିବା ଚାଳକଙ୍କ ସମେତ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ଡ୍ରାଇଭର ପଛ ସିଟ୍ରେ ବସିଥିବା ଦୁଇ ଜଣ ପିଲା ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି । ତଥାପି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ବାଙ୍ଗିରିପୋଷି ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଲୁହା କଟର ମାଧ୍ୟମରେ ବୋଲେରୋକୁ କାଟି ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ବାଙ୍ଗିରିପୋଷି ମେଡିକାଲ୍ରେ ଭର୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ବର୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ । ତେବେ ବୋଲେରୋ ନମ୍ୱର ପ୍ଲେଟ୍କୁ ଦେଖିଲେ ଗାଡିଟି ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ପାଖରୁ ଗୋଟିଏ ଭୋଟର କାର୍ଡ ମିଳିଛି । ସେଥିରେ ତାଙ୍କ ଠିକଣା ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ବୋଲି ଲେଖାଯାଇଛି । ବର୍ତମାନ ଉକ୍ତ ରାସ୍ତା ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ଧକାର ହୋଇଥିବା ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜିଛି ।
