କରୋନା ଲକ୍ଷଣ ଥିଲେ ଘରେ ରହି ଟିଭିରେ ରଥଯାତ୍ରା ଦେଖନ୍ତୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତି ନିଆଯାଇଛି । ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ । ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, ବସ୍ଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ୍ କ୍ୟାମ୍ପ ଖୋଲିବ ଲକ୍ଷଣ ଥିଲେ ଚିକିତ୍ସା କରାନ୍ତୁ ।
ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧ ତାରିଖରେ ହେବ । ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାଜ୍ୟ ସରକାର ପୁରୀ ଜିଲ୍ଲା ପ୍ରଶାସନକୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟରେ କୋଭିଡ-୧୯ ପଜିଟିଭ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପବିତ୍ର ରଥଯାତ୍ରାରେ ପୁରୀରେ ଲୋକାରଣ୍ୟ ହେବାକୁ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଏନ୍ବି ଧଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କୋଭିଡ କେୟାର ସେଂଟର, ଅକ୍ସିଜେନ ସୁବିଧାଯୁକ୍ତ ବେଡ, ଆଇସିୟୁ ଓ ଏଚ୍ଡିୟୁ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଏଥି ସହିତ ଶ୍ରୀ ଧଳ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ କୋଭିଡ ଲକ୍ଷଣ ଦେଖାଯାଉଛନ୍ତି, ରଥଯାତ୍ରା ସମୟରେ ପୁରୀକୁ ନଆସନ୍ତୁ । ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଓ ପ୍ରିକ୍ସନ ଡୋଜ ଟିକା ଦେବା ପାଇଁ ସେ କହିଛନ୍ତି । ସେହିଭଳି ନମୁନା ସଂଗ୍ରହ ଓ ପରୀକ୍ଷାକୁ ଗୁରୁତ୍ୱ ଦିଆଯିବା ପାଇଁ କୁହାଯାଇଛି ।
