ସ୍କୁଟିକୁ ପଛପଟୁ ପିଟିଲା ଟ୍ରାକ୍ଟର, ଚାଳିକା ମୃତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଥାନାଛକ-ଦେଉଳାହାଟ ରାସ୍ତା ସରସ୍ୱତୀପୁର ଠାରେ ରବିବାର ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଟି ଚାଳିକାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଜୟରାମପୁର ପଞ୍ଚାୟତ ଖଡ଼ିକାବାଡ଼ିର ସାରଥୀ ଭୂୟାଁ (୩୫) ।
ମହିଳା ଜଣକ ତାଙ୍କ ସ୍କୁଟିରେ ପଶ୍ଚିମବଙ୍ଗ ବନ୍ଧୁ ଘରକୁ ଯାଉଥିବା ବେଳେ ଟ୍ରାକ୍ଟର ଚାଳକ ଦ୍ରୁତ ଗତିରେ ଯାଇ ସ୍କୁଟି ଚାଳିକାଙ୍କୁ ପଛ ପଟୁ ଧକ୍କା ଦେବାରୁ ଟ୍ରାକ୍ଟର ଚକା ତଳେ ଚାପି ହୋଇଯାଇଥିଲେ । ଖବରପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ମୃତା ମହିଳାଙ୍କ ଶବ ଉଦ୍ଧାର କରିବା ସହିତ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଭୋଗରାଇ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡ଼ିଛି ।
