ଜମୁଛି ବଣଭୋଜିର ଆସର, ମଜା ଉଠାଉଛନ୍ତି ପର୍ଯ୍ୟଟକ
କେନ୍ଦୁଝର : ପର୍ଯ୍ୟଟନ ଋତୁ ପାଇଁ ଚଳଚଂଚଳ ହୋଇପଡିଛି କେନ୍ଦୁଝରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ । ଜମୁଛି ବଣଭୋଜିର ଆସର, ମଜା ଉଠାଉଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଭୀମକୁଣ୍ଡ ର ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ ରହିଛି । ପ୍ରତିବର୍ଷ ପର୍ଯ୍ୟଟନ ରୁତୁରେ ଭୀମକୁଣ୍ଡ ଶୋଭା ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟନ ଙ୍କ ସୁଅ ଛୁଟିଥାଏ । ଶୀତ ଯେଭଳି ବୃଦ୍ଧି ପାଇଥାଏ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଇବାରେ ଲାଗିଥାଏ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଂଚାୟତ ବାଲିଯୋଡି ଗ୍ରାମ ସୀମା ଦେଇ ବୋହିଯାଇଛି ପୂଣ୍ୟତ୍ୱୟା ବୈତରଣୀ, ଅଉ ଏହି ବୈତରଣୀ ଭୀମକୁଣ୍ଡ ରେ ପ୍ରକୃତିକ ଶୋଭାର ଗନ୍ତାଘର ହେଉଛି ବିଶାଳ ପ୍ରସ୍ଥରରେ ପରିପୂର୍ଣ୍ଣ ବୈତରଣୀ ଛାତି । ଏହାକୁ ମନଭରି ଉପଭୋଗ କରିବାକୁ ବର୍ଷତମାମ ପର୍ଯ୍ୟଟକ ଙ୍କ ସମାଗମ ହୋଇଥାଏ । କଥିତ ଅନୁଯାୟୀ ଦ୍ୱାପର ଯୁଗରେ ପାଣ୍ଡବ ଭ୍ରାତାଗଣ ବନବାସ ସମୟରେ ମଧ୍ୟମ ପାଣ୍ଡବ ଭୀମ ଏହି ବୈତରଣୀ କ୍ଷୀଣ ଜଳଧାରରେ ଶୋଇ ରହି ସ୍ନାନ କରିବା ସମୟରେ, ଭୀମଙ୍କ ପ୍ରକାଣ୍ଡ ଶରୀର ରେ ବୈତରଣୀର କ୍ଷୀଣ ଜଳଧାର ବାଧାପ୍ରାପ୍ତ ହୋଇ ଜଳରାଶି ନିମ୍ନଗାମୀ ହୋଇ ଏଠାରେ ଏକ ଗଣ୍ଡ ସୃଷ୍ଟି ହୋଇଥିଲା ଯାହା ଭୀମକୁଣ୍ଡ ନାମରେ ଅବିହିତ କରିଛନ୍ତି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକ ଙ୍କୁ ଯେତିକି ଆକୃଷ୍ଟ କରିଥାଏ, ଏଠାରେ ବଣଭୋଜି ର କରିବାର ମଧ୍ୟ ନିଆରା ଆନନ୍ଦ ରହିଥାଏ । କେନ୍ଦୁଝର ରାଜାଙ୍କ ଦ୍ୱାରା ଭୀମକୁଣ୍ଡ କେନ୍ଦୁଝର ଜିଲ୍ଲାର ଅଂଶ ଭାବେ ଗଣାଯାଉଥିବା ବେଳେ ଏବେ ଭୀମକୁଣ୍ଡ ର ମୂଖ୍ୟ ଗଣ୍ଡ ଘଟଗାଁ ଥାନା ଅଂଚଳ ଭିତରେ ରହିଛି । ଏଠାରେ ଉଭୟ କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ର ସୀମା ନିର୍ଦ୍ଧାରଣ କରିଥାଏ ।
