ଅଚଳ ହୋଇପଡ଼ିଛି ଡିଜିଟାଲ କିଓସ୍କ
କେନ୍ଦୁଝର : କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡିଏମ୍ଏଫ୍ ଅର୍ଥରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷାଧିକ ଟଙ୍କା ବ୍ୟୟର ଡିଜିଟାଲ କିଓସ୍କ କାମରେ ଲାଗୁନି । ଦୀର୍ଘ ମାସ ହେଲା ଏହା ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ କୌଣସି ସୂଚନା ପାଇ ପାରୁନାହାନ୍ତି । ଯଦିଓ ସ୍ୱାସ୍ଥ୍ୟ ସାଥୀମାନେ ଅଛନ୍ତି ତେବେ ଅନେକ ସୂଚନା ଯାହାକି ଉକ୍ତ ଡିଜିଟାଲ କିଓସ୍କରୁ ମିଳୁଥିଲା ତାହା ପାଇପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଡାକ୍ତର ତଥା ନର୍ସମାନଙ୍କ ଡ୍ୟୁଟି, ବ୍ଲଡ୍ ବ୍ୟାଙ୍କରେ କେଉଁ ଗ୍ରୁପ୍ର ରକ୍ତ କେତେ ରହିଛି ତାହାର ସୂଚନା ଆଦି ଉକ୍ତ କିଓସ୍କରୁ ଲୋକମାନେ ଜାଣି ପାରୁଥିଲେ । ଏବେ ଏହା ଅଚଳ ହୋଇ ପଡ଼ିଛି । ଏହାକୁ ସଜଡ଼ା ଯିବ ବୋଲି ମେଡିକାଲ ପକ୍ଷରୁ ସବୁବେଳେ କୁହଯାଉଛି । ଦୀର୍ଘ ମାସ ହେଲା ସଜଡ଼ା ଯାଉ ନ ଥିବାରୁ ସେଠାରେ ଥିବା କମ୍ପ୍ୟୁଟର, ଟିଭି ଆଦି ନଷ୍ଟ ହେଉଛି । ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୈଳାସଚନ୍ଦ୍ର ପୃଷ୍ଟି କହିଛନ୍ତି, କିଓସ୍କ ସଜାଡ଼ିବା ପାଇଁ ଦାୟିତ୍ୱରେ ଥିବା ଆଉଟ୍ସୋର୍ସିଂ ସଂସ୍ଥାକୁ କୁହାଯାଇଛି । ଶୀଘ୍ର ତାହା କାର୍ଯ୍ୟକ୍ଷମ କରାଯିବ । ତୁରନ୍ତ କିଓସ୍କ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ସାମାଜିକ କର୍ମୀ ଦିଲ୍ଲୀପ ସାହୁ ଦାବି କରିଛନ୍ତି ।
