ଦେଶରେ ଉପର ମୁହାଁ କରୋନା ଗ୍ରାଫ୍! ୨୪ ଘଣ୍ଟାରେ ୧୭୦୭୩ ସଂକ୍ରମିତ ଓ ୨୧ ମୃତ
ନୂଆଦିଲ୍ଲୀ : ଦେଶରେ ବଢୁଛି ସଂକ୍ରମଣ । ଉପର ମୁହାଁ କରୋନା ଗ୍ରାଫ୍। ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ଏହା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ଟପିଛି । ଗତ ରବିବାର ଠାରୁ ସୋମବାର ୪୫% ବୃଦ୍ଧି ପାଇଥିବାର ଜଣାପଡିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୭ହଜାର ୦୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩,୪୦୭,୦୪୬ରେ ପହଞ୍ଚି ଥିବା ବେଳେ ମୃତ୍ୟୁସଂଖ୍ୟା ୫,୨୫,୦୨୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫ହଜାର ୨୦୮ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୭,୮୭୬,୦୬। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯୪ହଜାର ୪୨୦। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୭,୧୧,୯୧,୩୨୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୬,୧୦,୧୫,୬୮୩ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୦୩,୬୦୪ଟି ନମୁନା।
