ଆଜି ନିରାପଦ ମାତୃତ୍ୱ ଦିବସ ! ନିରାପଦ ମାତୃତ୍ୱ ଆଜିର ଆହ୍ୱାନ
ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ । ସୁରକ୍ଷିତ ଗର୍ଭଧାରଣ, ପ୍ରସବକାଳୀନ ନିରାପତ୍ତା, ଶିଶୁ ଜନ୍ମ ପରେ ମାଆର ସ୍ୱାସ୍ଥ୍ୟ ବାବଦରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏପ୍ରିଲ ୧୧ ତାରିଖ କସ୍ତୁରବା ଗାନ୍ଧୀଙ୍କ ଜନ୍ମଦିନ ଏହାକୁ ମାତୃତ୍ୱ ଦିବସ ଭାବେ ପାଳନ କରିବା ଲାଗି ଭାରତ ସରକାର ୨୦୦୩ରେ ନିଷ୍ପତ୍ତି ନେଇଥିଲେ । ଏହି ଦିବସ ପାଳନରେ ଭାରତ ବିଶ୍ୱରେ ପ୍ରଥମ ରାଷ୍ଟ୍ର ନିରାପଦ ମାତୃତ୍ୱ କହିଲେ ଉଭୟ ମାଆ ଓ ଶିଶୁର ସୁରକ୍ଷାକୁ ବୁଝାଏ ।
ଗର୍ଭଧାରଣ ଓ ପ୍ରସବ ବାବଦରେ ଉପଯୁକ୍ତ ଜ୍ଞାନ ହାସଲ ଏବଂ ଠିକ୍ ପଦକ୍ଷେପ ଦ୍ୱାରା ନିରାପଦ ମାତୃତ୍ୱ ଲାଭ ସମ୍ଭବ । ଏହାଦ୍ୱାରା ମାଆ ଓ ଶିଶୁ ମୃତ୍ୟୁହାର କମିବ । ସୁଷମ ଓ ପୁଷ୍ଟିକର ଆହାର ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ପ୍ରତିଷେଧକ ଟିକା ଗ୍ରହଣ, ପ୍ରସବ ସମୟରେ ତାଲିମପ୍ରାପ୍ତ ଧାତ୍ରୀଙ୍କ ସାହାଯ୍ୟ ନେବା ଉଚିତ । ଏହାଦ୍ୱାରା ମାଆ-ଶିଶୁଙ୍କ ଜୀବନ ସୁରକ୍ଷିତ ରହିବ । ଆଜିକା ସମୟରେ ମହିଳାମାନେ ନିଜ କର୍ମ ସଂସ୍ଥାନର ଦାୟିତ୍ୱ କୁହନ୍ତୁ ବା ଘର ସଂସାରର ବୋଝ, ସବୁଠି ନିଜକୁ ନିଜେ ହିଁ ଅବହେଳିତ କରୁଛନ୍ତି । ଯାହାପାଇଁ ଦିନକୁ ଦିନ ଉଦ୍ବେଗଜନକ ଭାବେ ମହିଳାଙ୍କର ଶାରୀରିକ ଅସୁସ୍ଥତା ଦେଖାଯାଉଛି ।
ନିରାପଦ ମାତୃତ୍ୱ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହେଉଛି ଅସଚେତନତା, ଦାରିଦ୍ର୍ୟ, କୁପୋଷଣ ଓ ଅଶିକ୍ଷା । ଖୁବ୍ କମ ବୟସ ବେଳୁ ବିବାହ କରିବା ସମସ୍ୟା ଭାରତର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଅଳ୍ପ ବୟସରୁ ବିବାହ କରି ସଂସାରକୁ ନ ବୁଝିଥିବା ଝିଅଟି ଖୁବ୍ ଶୀଘ୍ର ଗର୍ଭଧାରଣ କରିବା ଦ୍ୱାରା ଏହା ଉଭୟ ମାଆ ଓ ଶିଶୁ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ । ଅନେକ କ୍ଷେତ୍ରରେ ମାତୃ ମୃତ୍ୟୁହାରର ଏହା ବଡ଼ କାରଣ ପାଲଟିଥାଏ । କେବଳ ମାତୃ ମୃତ୍ୟୁହାର ନୁହେଁ କେତେକ କ୍ଷେତ୍ରରେ ପିଲାଟି ଜନ୍ମ ହେବାପୂର୍ବରୁ ବା ଜନ୍ମ ହେବାର କିଛି ଦିନ ପରେ ମୃତ୍ୟୁବରଣ କରିଥାଏ । ଅନେକ କ୍ଷେତ୍ରରେ ଦୁର୍ବଳିଆ ଶିଶୁ ଜନ୍ମ ନେଇ ସାରା ଜୀବନ ବିଭିନ୍ନ ରୁଗ୍ଣ ସମସ୍ୟାକୁ ସାମ୍ନା କରିଥାଏ ।
ସେହିପରି ନିରାପଦ ମାତୃତ୍ୱ କ୍ଷେତ୍ରରେ କୁପୋଷଣ ଅନ୍ୟ ଏକ ସମସ୍ୟା । ସନ୍ତାନଟି ଗର୍ଭସ୍ଥ ହେବାପରେ ସଠିକ୍ ଭାବେ ଖାଦ୍ୟ, ବିଶ୍ରାମ, ଡାକ୍ତରୀ ପରାମର୍ଶ ଓ ନିର୍ଦ୍ଦିଷ୍ଟ ଔଷଧ ଓ ଟୀକା ଗ୍ରହଣ ଜରୁରୀ । ଗର୍ଭବତୀ ମାଆଟି ପାଇଁ ତା ଶରୀର ଓ କାର୍ଯ୍ୟ ତୁଳନାରେ ପୌଷ୍ଟିକ ଓ ସୁଷମ ଖାଦ୍ୟ ତା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଅନେକ ସମୟରେ ଡାକ୍ତରୀ ଚିକିତ୍ସା ବା ପରାମର୍ଶ ଅପେକ୍ଷା ଘର ବଇଦ ଚିକିତ୍ସାକୁ ଆପଣାଇ ଅନେକ କ୍ଷେତ୍ରରେ ଗର୍ଭବତୀମାନେ ଗୁରୁତର ହୋଇ ପଡ଼ିଥାନ୍ତି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ଏ ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱ ବିଚାର କରି ସରକାରୀ ଭାବେ ଗର୍ଭବତୀ ମାଆଙ୍କୁ ପ୍ରାଥମିକ ଅବସ୍ଥାରୁ ସେମାନଙ୍କ ପାଖରେ ଡାକ୍ତରୀ ପରାମର୍ଶ, ଉତ୍ତମ ସୁଷମ ଖାଦ୍ୟ ଓ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଉଛି । ସରକାରୀ ବ୍ୟବସ୍ଥାରେ ନିକଟସ୍ଥ ଯେକୌଣସି ଡାକ୍ତରଖାନାରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା ପ୍ରଦାନ କରାଯାଉଛି । ସେମାନଙ୍କର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା, ଔଷଧପତ୍ର, ଡାକ୍ତରୀ ପରାମର୍ଶ ଓ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି ଯାହାଦ୍ୱାରା ନିରାପଦ ମାତୃତ୍ୱ ଏକ ବଡ଼ ସୁନିଶ୍ଚିତ ହୋଇପାରୁଛି । ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ଅଗମ୍ୟ, ଉପାନ୍ତ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନ କରାଯାଉଛି ।
ଗର୍ଭବତୀ ମାନଙ୍କ ପାଖରେ ଡାକ୍ତରୀଦଳ ଓ ପରୀକ୍ଷା ନିରୀକ୍ଷା ଟିମ୍ ଉପଲବ୍ଧ କରାଯାଉଛି । ତେବେ ଏତେ ସବୁ ଭିତରେ ମଧ୍ୟ କେତେକ ସ୍ଥାନରେ ନିରାପଦ ମାତୃତ୍ୱ ଅପହଞ୍ଚ ହୋଇଯାଉଛି ତ କେଉଁଠି ଗର୍ଭବତୀଙ୍କ ନିକଟ ସମ୍ପର୍କୀୟ ମାନଙ୍କ ସଠିକ ତଥ୍ୟ ଅଭାବରୁ ପରିସ୍ଥିତି ଜଟିଳ ହୋଇଯାଉଛି । କେନ୍ଦ୍ର ସରକାର ମଧ୍ୟ କେତେକ କ୍ଷେତ୍ରରେ ନିରାପଦ ମାତୃତ୍ୱକୁ ସୁନିଶ୍ଚିତ ସୁରକ୍ଷିତ କ୍ଷେତ୍ର ଭାବେ ଅଗ୍ରାଧିକାର ଦେଇ ବିଭିନ୍ନ ବେସରକାରୀ ସ୍ୱେଚ୍ଛସେବୀ ସଙ୍ଗଠନ ମାଧ୍ୟମରେ ଅନେକ ସହାୟତା ପ୍ରଦାନ କରୁଛନ୍ତି । ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ କେବଳ ଦାୟିତ୍ୱ ସରକାର ବା ଗର୍ଭବତୀଙ୍କ ଉପରେ ଛାଡ଼ିଦେଲେ ଚଳିବ ନାହିଁ । ଆମ୍ଭ ମାନଙ୍କ ଭିତରେ ସଚେତନତା ଏ କ୍ଷେତ୍ରରେ ଅତ୍ୟନ୍ତ ଜରୁରୀ । ଜଣେ ନିଜର କେହି ନ ହେଲେ ବି ପଡ଼ୋଶୀଟିଏ ହେଉ ବା ଅପରିଚିତ ସେମାନଙ୍କୁ ସରକାରୀ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଓ ସ୍ୱାସ୍ଥ୍ୟଜନିତ ସଚେତନତା ସେମାନଙ୍କ ପାଖରେ ପହଂôଚବାର ଗୁରୁଦାୟିତ୍ୱ ନିର୍ବାହ କଲେ ନିଜକୁ ଜଣେ ସମାଜର ଯଥାର୍ଥ ଜାଗ୍ରତ ପ୍ରହରୀ ଓ ଉପଯୁକ୍ତ ନାଗରିକ ଭାବେ ଦାୟିତ୍ୱ ନିର୍ବାହ କରିପାରିବା । ଆସନ୍ତୁ ଆଜିପରି ଏକ ସ୍ମରଣୀୟ ଦିନରେ ଏହି ଦାୟିତ୍ୱର ସହଭାଗୀତାରେ ସମସ୍ତଙ୍କୁ ସାମିଲ କରି ଏକ ସୁନ୍ଦର ଓ ଉତ୍ତମ ଶିଶୁ ଯେ କି ଆଗାମୀ ଭବିଷ୍ୟତର ପ୍ରତୀକ ଏହାକୁ ବିବେଚନା କରି ଏହି ଦିବସର ଅନ୍ତର୍ନିହିତ ତାତ୍ପର୍ଯ୍ୟକୁ ବଜାୟ ରଖିପାରିବା ।
