ଆଜି ପାଳିତ ହେବ ଉଜ୍ଜ୍ୱଳା ଦିବସ : ଦେଶବ୍ୟାପୀ ୫ହଜାର ଏଲପିଜି ପଂଚାୟତର ଆୟୋଜନ
ନୂଆଦିଲ୍ଲୀ : ପ୍ରତ୍ୟେକ ବିପିଏଲ୍ ପରିବାରକୁ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା’ ଯୋଜନାରେ ବିନାମୂଲ୍ୟରେ ଏଲ୍ ପି ଜି ସଂଯୋଜ ଦିଆ ଯାଉଛି । ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ । ଉତରପ୍ରଦେଶର ବଲିଆଠାରେ ୨୦୧୬ ମଇ ପହିଲା ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା’ ଯୋଜନାକୁ ଉତ୍ସବ ଭାବରେ ପାଳନ କରୋବାପାଇଁ ଚଳିତ ୨୦୨୨ ମଇ ପହିଲା ଦିନଟିକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ‘ଉଜ୍ଜ୍ୱଳା ଦିବସ’ ଭାବରେ ପାଳନ କରୁଛି ।
ଏହିଦିନ ସମସ୍ତ ତୈଳ କମ୍ପାନୀ ୫ହଜାର ଏଲ୍ପିଜି ପଂଚାୟତ ଆୟୋଜନ କରୁଛନ୍ତି । ଏଥିରେ ଏଲ୍ ପି ଜି ବ୍ୟବହାରକାରୀମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ, ନିରାପଦ ଏବଂ ଦିର୍ଘସ୍ଥାୟୀ ଜାଳେଣୀ ବ୍ୟବହାର ସମ୍ପର୍କୀତ ଅଲୋଚନା ହେବ ଏବଂ ସର୍ବାଧିକ ଗ୍ରାହକ ପଞ୍ଜିକରଣ କରାଯିବ । ଏଲ୍ ପି ଜି ପଂଚାୟତ ସହିତ ‘ଉଜ୍ଜ୍ୱଳା ୨.୦’ ଯୋଜନା ଅଧିନରେ ନୂତନ ସଂଯୋଗ ପ୍ରଦାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ବିଷଦ୍ ବିବରଣୀ ଲୋକଙ୍କୁ ଜଣାଇବା, ପୁରୁଣା ଗ୍ରାହକଙ୍କ ଠାରୁ ‘ନିଜ ଗ୍ରାହକଙ୍କୁ ଜାଣ’ ( କେୱାଇସି) ଫର୍ମ ସଂଗ୍ରହ, ନିଶୁଳ୍କ ‘ହଟ୍ ପ୍ଲେଟ ସେବା’ ଆୟୋଜନ, ନିରାପତା ସଂପର୍କୀତ ତାଲିମ, ଉଜ୍ଜ୍ୱଳା ହୀତାଧିକାରୀଙ୍କୁ ସମ୍ବର୍ଦ୍ଧନା ଦେବା, ଆଦି କାର୍ଯ୍ୟକ୍ରମ ହେବ । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗରିବ ହୀତାଧିକାରୀମାନଙ୍କୁ ବିପୁଳ ସଂଖ୍ୟାରେ ତୈଳ କମ୍ପାନୀମାନେ ପଞ୍ଜିକାଭୁକ୍ତ କରି ରେକର୍ଡ ସୃଷ୍ଟି କରିଥିବାରୁ କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ୍ ସିଂହ ପୁରୀ ସାଧୁବାଦ ଜଣାଇଛନ୍ତି । ଏହି ଅବସରରେ ଆସାମର ଦିବୃଗଡଠାରେ ତୈଳ ଏବଂ ପ୍ରାକୃତିକ ବାଷ୍ପ ରାଜ୍ୟମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲୀ ଉଜ୍ଜ୍ୱଳା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନୂଆ ଉଜ୍ଜ୍ୱଳା ଗ୍ରାହକମାନଙ୍କୁ ସେବା ସଂଯୋଗ ପ୍ରଦାନ କରିବେ ।
