ଆଜି କିଷାନ ମହାପଞ୍ଚାୟତ, ଏକତ୍ର ହେବେ ୩୦୦ରୁ ଅଧିକ ଚାଷୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୁଜାଫରନଗରରେ ରବିବାର କିଷାନ ମହାପଂଚାୟତ (ସମ୍ମିଳନୀ) ହେବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩୦୦ରୁ ଅଧିକ ଚାଷୀ ସଂଗଠନ ଏକତ୍ର ହେବେ । କେବଳ ୬୦ଟି ଚାଷୀ ସଂଗଠନ ପଂଜାବ, ହରିୟାଣା ଏବଂ ରାଜସ୍ଥାନରୁ ଜୁଟିବେ । ସରକାରଙ୍କ ବିରୋଧରେ ହେବାକୁ ଥିବା ସମ୍ମିଳନୀ ପୂର୍ବରୁ ହଜାର ହଜାର ଚାଷୀ ମୁଜାଫରନଗର ପହଂଚିଛନ୍ତି । ଅନ୍ୟପଟରେ ମହାପଂଚାୟତକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ପୋଲିସ ସତର୍କ ରହିଛି ।
ଚାଷୀମାନେ ୫୦୦ ଲରଙ୍ଗ ଆରମ୍ଭ କରିଦେଇଛନ୍ତି । ଏହା ବ୍ୟତୀତ ୧୦୦ଟି ଚିକିତ୍ସା ଶିବିର କରାଯାଇଛି । ଏଥି ସହିତ ମହାପଂଚାୟତକୁ ଠିକ ଭାବରେ ପରିଚାଳନା କରିବା ପାଇଁ ୫୦୦୦ ସ୍ୱେଚ୍ଛାସେବୀ ମୁତୟନ ରହିବେ । ଜିଆଇସି ପଡ଼ିଆରେ ହେବାକୁ ଥିବା ମହାପଂଚାୟତକୁ ନିକଟସ୍ଥ ପଡ଼ିଆରୁ ମଧ୍ୟ ଲାଇଭ୍ ଦେଖାଯାଇ ପାରିବ । ଉତ୍ତରପ୍ରଦେଶ ପୋଲିସ ଉପାୟୁକ୍ତ (ଟ୍ରାଫିକ) ରଇସ ଅଖତର ମଧ୍ୟ ସଭା ସମୟରେ ମୁଜାଫରନଗରରେ ଉପସ୍ଥିତ ରହିବେ । ଏହା ବ୍ୟତୀତ ଏସ୍ପି ସଂଜୀବ ବାଜପେୟୀ, ଏସପି ଶିବରାମ ଯାଦବଙ୍କ ମଧ୍ୟ ଉପସ୍ଥିତି ରହିବ । ଏଥି ସହିତ ସିଓ ଚମନ ଚାୱଡ଼ା, ଅରୁଣ କୁମାର, ପିପି ସିଂହ ଏଠାରେ ରହିବେ । ମୁଜାଫରନଗରରେ କୌଣସି ଅପ୍ରୀତିକର ଘଟଣା ନ ଘଟିବା ପାଇଁ ବିଭିନ୍ନ ଜିଲ୍ଲାରୁ ପୋଲିସ କର୍ମଚାରୀ ପହଂଚିଛନ୍ତି ।
