ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
- ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ
ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ । ରବିବାର ତିନିରଥରେ ଆଜ୍ଞାମାଳ ବିଜେ ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ ରଥ ପହଁଚିଥିଲା। ସୋମବାର ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସାରା ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନ ପବିତ୍ର ଘୋଷଯାତ୍ରା ଅବସରରେ ବଡଦାଣ୍ଡରେ ବିଜେ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟ ଅନୁଯାୟୀ ନୀତି ନିର୍ଘଣ୍ଟ ଶେଷହେବା ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥା ଅନୁଯାୟୀ ପ୍ରଭୁ ଶ୍ରୀ ସୁଦର୍ଶନ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ବିଜେ କରିବା ପେରେ ବଡଭାଇ ବଳଭଦ୍ର ତାଳଧ୍ୱଜରେ ଏବଂ ଦେବୀ ସୁଭଦ୍ରା ଦେବଦଳନ ରଥରେ ବିଜେ କରିଥିଲେ। ପରେ ଟାହିଆ ହଲାଇ ହଲାଇ କଳାଠାକୁର ଶ୍ରୀ ଜଗନ୍ନାଥ ଧାଡି ପହଣ୍ଡିରେ ବଡଦାଣ୍ଡକୁ ଓହ୍ଲାଇଥିଲେ। ତେବେ କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀ ଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ବିନା ଭକ୍ତରେ ଆୟୋଜିତ ହେଉଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭକ୍ତମାନେ ମହାପ୍ରଭୁଙ୍କୁ ବଡଦାଣ୍ଡରେ ଅତି ନିକଟରୁ ଦେଖିବାରୁ ବଂଚିତ ହୋଇଛନ୍ତି। ଅବଶ୍ୟ ଭକ୍ତମାନଙ୍କୁ ଏହି ବିରଳ ମୁହୂର୍ତ୍ତ ଭକ୍ତମାନଙ୍କ ନିକଟକୁ ଆଣିବା ପାଇଁ ଏହାର ଇଲେକଟ୍ରୋନିକ ଗଣମାଧ୍ୟମଗୁଡିକରେ ସିଧା ପ୍ରସାରଣ କରାଯାଉଛି।
ଶନିବାର ତିନି ରଥରେ କନା ପକାଯିବା ସହ ପିତ୍ତଳସାଜ ଲଗାଯାଇଛି। ସୋମବାର ସକାଳ ୮ଟା ୩୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ଦିନ ୧୧ଟା ୩୦ ସୁଦ୍ଧା ଶେଷହେବ। ଏହା ପରେ ରଥରେ ବିଜେ କରିବେ ମଦନମୋହନ। ଶ୍ରୀଜୀଉଙ୍କୁ ଚିତାଲାଗି ଏବଂ ବେଶ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୨ଟା ୪୫ରୁ ୨ଟା ମଧ୍ୟରେ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ ଛାଉଣିରେ ପରିଣତ ହୋଇଛି ସମଗ୍ର ପୁରୀ ସହର। ୬୫ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ସାହିଗଳି ପ୍ରବେଶ ପଥରେ କାଠ ବ୍ୟାରିକେଡ୍ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ବଡ଼ଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ରଥଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବାକୁ ଯାଉଛି। ରବିବାର ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ପ୍ରଶାସନ ରୋକ୍ ଲଗାଇଛି।
