ଆଜି ପଞ୍ଚୁକର ତୃତୀୟ ଦିନ, ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
ଆଠଗଡ଼ : ଆଜି ପଞ୍ଚୁକର ତୃତୀୟ ଦିନ । ମହାକାର୍ତ୍ତିକ ମାସର ଆଜି ବଡ ପର୍ବ ବଡଓଷା । ପୀଠରେ ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର ।
ସେହିପରି ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ମଧ୍ୟରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ବିତରଣ କରାଯିବ। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୃତ୍ତୟନ ହେବା ସହ ପୀଠରେ ଆଠଗଡ ଉପଜିଲାପାଳ ଓ କଟକ ଗ୍ରାମାଞ୍ଚଳ ଏସ୍ପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ସକାଳୁ ସକାଳୁ ଲମ୍ବାଧାଡିରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।
