ଆଜି କାର୍ତ୍ତିକର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ଦର୍ଶନ କରିପାରିବେନି ଭକ୍ତ
ଆଠଗଡ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ବିଶେଷ କରି ଆଜିର ଏହି ଶୁଭଦିନରେ କାହିଁ କେତେ ଆଡ଼ୁ କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠକୁ ଭକ୍ତଙ୍କ ଛୁଟି ଥାଏ । ହେଲେ କରୋନା ମହାମାରୀ ପାଇଁ ଚଳିତ ବର୍ଷ କାର୍ତ୍ତିକ ପ୍ରଥମ ସୋମବାରରେ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ ।
ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି । ତେଣୁ ପ୍ରଶାସନ ପକ୍ଷରୁ ଭିଡ଼କୁ ଦୃଷ୍ଟିରେ ରଖି ପୀଠରେ ୧୪୪ଧାରା ଜାରୀ କରାଯାଇଛି । ଫଳରେ ମନ୍ଦିର ସମ୍ପୁର୍ଣ୍ଣ ଭକ୍ତ ଶୂନ୍ୟ ହୋଇପଡ଼ିଛି । କେବଳ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିକାନ୍ତି ସମ୍ପର୍ଣ୍ଣ କରାଯାଉଛି । ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସୂଚନା । ଅନ୍ୟ ପଟେ ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ପହଡ ଖୋଲାଯାଇ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମାଇଲମ୍, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା।
