ଆଜି ମାତୃ ଦିବସ ! ମା’ ପାଇଁ ଦିନଟିଏ
ଆଜି ମାତୃ ଦିବସ । ସାରା ବିଶ୍ୱ ପାଳୁଛି ମାତୃ ଦିବସ । ମାଆ ମଣିଷର ଆଦ୍ୟ ଉଚ୍ଚାରଣ । ଯିଏ ସବୁଠାରୁ ନିଜର । ଯିଏ ହାତ ଧରି ଚାଲିବା ଶିଖାଏ । ଯିଏ ନିଜେ ଜଳି ସନ୍ତାନକୁ ଆଲୋକ ଦେଖାଏ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ । ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଯିଏ ନିଜର ସବୁ ସୁଖକୁ ଉତ୍ସର୍ଗ କରି ଦିଏ ସନ୍ତାନ ଟିଏ ପାଇଁ । ମାଆ କେବଳ ଏକ ସମ୍ବୋଧନ ନୁହେଁ । ସେ ତ ଜନନୀ । ଯିଏ ଜୀବନ ଯୁଦ୍ଧରେ ବିଜୟୀ ହୋଇ ଫେରିବାର ମନ୍ତ୍ର ଶିଖାଏ । ସେ ପୁଣି ଶିଖାଏ ଶିଷ୍ଟାଚାର, ସଭ୍ୟ ହୋଇ ମଣିଷ ଭଳି ବଞ୍ଚିବାର କୌଶଳ । ମାଆ ହେଉଛି ମମତାମୟୀ, କରୁଣାମୟୀ ଯାହାର କାହାଣୀ ଯେତେ କହିଲେ ବି ସରିଵନି । ସେଥିପାଇଁ କୁହାଯାଇଛି “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗIଦପି ଗରୀୟସି” ଅର୍ଥାତ୍ ମାଆ ଓ ମାତୃଭୂମି ସ୍ଵର୍ଗ ଠାରୁ ବଡ଼ ଓ ମହାନ୍ । ଧର୍ମ ଗ୍ରନ୍ଥର ଏହି ଗୋଟିଏ ପନ୍ଥି ବର୍ଣ୍ଣନା କରେ ମାଆର ମହାନତାକୁ । ମାଆର ଭଲ ପାଇବା ସନ୍ତାନ ପ୍ରତି ବାଶ୍ଚଳ ଓ ଅତୁଲନୀୟ ।ସନ୍ତାନର ଜନ୍ମ ଠାରୁ ଆରମ୍ଭ ହୁଏ ମାଆର ଯନ୍ତ୍ରଣା । ଶିଶୁର ଜନ୍ମ ଠାରୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ଲାଳନପାଳନ କରିଥାଏ ମାଆ । ହେଲେ ଏହି କଷ୍ଟରେ ସେ ଅନୁଭବ କରେ ଆନନ୍ଦ । ଏହି ଦୁନିଆରେ ମାଆ ଠାରୁ ମହାନ୍ କେହି ହେଇପାରିବ ନାହିଁ । ମାଆର ଆଉକିଛି ବିକଳ୍ପ ନାହିଁ ।
ମାଆ ସେ ସର୍ବଂସାହା । ସେ ଜନନୀ, ସେ ଜଗଧାତ୍ରୀ । ମାଆଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ପଣତରେ ଥରେ ପୋଛିହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ତା ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ । ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବାର ଦିନ । ପରିବାର ମଧ୍ୟରେ ମାତୃ ବନ୍ଧନ ଭାବରେ ସାରା ବିଶ୍ୱରେ ପାଳନ କରାଯାଏ । ଏହା ଏକ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଯାହା ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପଡେ ।
ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ। ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’ । ସନ୍ତାନର ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷଟି ହେଉଛି ମା’ । ଆଜି ହେଉଛି ସେହି ମା’ର ଦିନ । ଯେ ପିଲାଟିବେଳୁ ନିଜେ ନଖାଇ ଛୁଆର ପେଟକୁ ଆଗ ଦେଖେ । ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ । ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ । ଦେହ ପା ଖରାପ ହେଲେ ସାରା ରାତି ଚେଇଁ ରହେ। ସେଇଥି ପାଇଁ ତ ସେ ମା’ । ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ। ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ ।
ମାତୃ ଦିବସର ଇତିହାସ :
୧୮୬୧ରୁ ୧୮୬୫ ମସିହା ପର୍ୟ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ ସଂଘର୍ଷ ଲାଗି ରହିଥିଲା। ସେହି ସମୟରେ ଜଣେ ସାଧାରଣ ମହିଳା ରୁଗ୍ଣ, ଅସହାୟ ଓ ଆହତମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ସେ ସମସ୍ତଙ୍କଠାରେ ଆଦରଣୀୟା ଥିଲେ। ତାଙ୍କ ବିୟୋଗ ପରେ, ତାଙ୍କର ସୁକନ୍ୟା ଆନ୍ନା ଜାର୍ଭିସ୍ ନିଜର ସ୍ନେହମୟୀ ମାଆଙ୍କର ସ୍ମୃତି ରକ୍ଷା ନିମେନ୍ତ ପ୍ରଥମ ଥର ପାଇଁ ପାଳନ କରିଥିଲେ ‘ମାତୃ ଦିବସ’।
୧୯୧୪ ମସିହାରେ ରାଷ୍ଟ୍ରପତି ଉଡ୍ର ଓ୍ଵିଲ୍ସନ୍ ଏହି ସେବାକାରିଣୀ ମାଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ‘ମାତୃ ଦିବସ’ ରୂପେ ପାଳନ ପାଇଁ ଘୋଷଣା କରିଥିଲେ। ପରେ ତାହା ଆମେରିକୀୟମାନଙ୍କ ଲାଗି ଏକ ଜାତୀୟ ଦିବସର ମାନ୍ୟତା ପାଇଥିଲା। ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଥିବାବେଳେ ଆମ ଦେଶରେ ମଧ୍ୟ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଉଛି। ଜନ୍ମଦାତ୍ରୀ ‘ମାଆ’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ଶିଶୁଟିଏ ଜନ୍ମ ହେବା ମାତ୍ରେ ପ୍ରଥମେ ସେ ‘ମାଆ’ ଶବ୍ଦ ହିଁ ଉଚ୍ଚାରଣ କରିଥାଏ। ମାଆ କୋଳ ତା’ ପାଇଁ ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ। କଷ୍ଟ ସହି ନିଜ ଶିଶୁ ପାଇଁ ସୁଖ ଦେବାରେ ମଧ୍ୟ ମାଆର ଆନନ୍ଦ ଅତୁଳନୀୟ। ଆଜି ଦୁନିଆର ସବୁ ମାଆ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। । ଇତ୍ୟ ଅବସରରେ ମାତୃ ଦିବସ ପାଇଁ ସମସ୍ତ ମା’ଙ୍କୁ କନକ ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ।
