ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶ୍ରଦ୍ଧା, ସମ୍ମାନ ଓ ଭାଗିଦାରୀ ନାରୀଙ୍କୁ କରିବ ସଶକ୍ତ
କେତେବେଳେ ମା’ ହୋଇ ସେ ବାତ୍ସଲ୍ୟ ସ୍ନେହ ଅଜାଡ଼ି ଦିଏ ତ ଆଉ କେତେବେଳେ ଭଉଣୀ ରୂପରେ ସେହ୍ନର ଡ଼ୋରିରେ ବାନ୍ଧି ରଖେ। ପୁଣି ପତ୍ନୀ ରୂପରେ ଜୀବନରେ ପ୍ରେମର ଫଗୁଣ ଆଣେ। ଘର ଚାରିକାନ୍ଥ ଭିତରୁ ବାହାରେ ଆଜି ସେ ନିଜ ଦକ୍ଷତାର ପ୍ରମାଣ ଦେଖାଇପାରିଛି। କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ନିଜ ଚତୁଃପାର୍ଶ୍ୱକୁ। କେବେ ସମୃଦ୍ଧି, କେବେ ଶକ୍ତି, କେବେ ଜ୍ଞାନ, କେବେ ବଳ ତ ଆଉ କେବେ ବିଜୟ ଲାଗି ସେ ହୋଇଥାଏ ପୂଜନୀୟା। ପୁରୁଷ କୈନ୍ଦ୍ରିକ ସମାଜ ସହ ତାଳ ଦେଇ ନାରୀ ବି ସମାଜରେ ସୃଷ୍ଟି କରିଛି ନିଜର ସ୍ବତନ୍ତ୍ର ପରିଚୟ। ସମୟ ଥିଲା, ଯେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ଥିଲା ନିର୍ଯାତିତା, ନିଷ୍ପେଷିତା। ଲାଜର ଗହଣା ତା’ର ଗତିରୋଧ କରୁଥିଲା। କିନ୍ତୁ ଆଜି ଆଉ ସେ ସମୟ ନାହିଁ। ପୁରୁଷ ସହ କାନ୍ଧ ମିଳାଇ ଛିଡ଼ା ହୋଇପାରୁଛି। ପରିବର୍ତ୍ତନ ଆସିଛି ପୂର୍ବ ମାନସିକତାରେ। ମୁକ୍ତ ବିହଙ୍ଗଟିଏ ପରି ସେ ଯାଇପାରୁଛି ମାଟିରୁ ମହାକାଶ ଯାଏ। ନିରବତା ଭାଙ୍ଗି ପ୍ରତିବାଦ କରୁଛି ପ୍ରତିଟି ନିର୍ଯାତନାର। ରାଜନୀତି ହେଉ ଅବା କ୍ରୀଡ଼ା, ସବୁଠି ସଫଳତା ଗୁଣଗାନ କରୁଛି ନାରୀର। ଶଙ୍ଖା ଓ ସିନ୍ଦୁରରେ ବାନ୍ଧି ହୋଇ ରହିବାର ୠଢ଼ିବାଦୀ ଚିନ୍ତାଧାରାରୁ ନାରୀ ଏବେ ମୁକ୍ତ ହୋଇ ପୁରୁଷଙ୍କଠାରୁ ଢ଼େର ଆଗକୁ ବଢ଼ି ପାରିଛି। ଆଉ ପ୍ରମାଣ କରିଛି ଯେ ସେ ଅବଳା କି ଦୁର୍ବଳା ନୁହେଁ। ନାରୀଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରୁଛି ସାରା ବିଶ୍ବ। ମହିଳାଙ୍କୁ ଅଧିକାର, ସମ୍ମାନ, ନ୍ୟାୟ ପ୍ରଦାନ ଓ ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ଲାଗି ଏହି ଦିନକୁ ସମର୍ପଣ କରାଯାଇଛି। ମହିଳାଙ୍କ ଉତ୍ଥାନ ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଅନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି।
ଇତିହାସରେ ମାର୍ଚ୍ଚ ୮ :
ମାର୍ଚ୍ଚ ୮, ୧୮୩୮ରେ ଆମେରିକାର ସେନେକା ଫଲସେର ଅଖ୍ୟାତ ଅଞ୍ଚଳରେ ଥିବା ଗୀର୍ଜାରେ ପ୍ରଥମ ନାରୀବାଦୀ ଆନ୍ଦୋଳନର ସୂଚନା ମିଳିଥିଲା। ଗୀର୍ଜାକୁ ଆସିଥିଲେ ଶହ ଶହ ମହିଳା। ପ୍ରାର୍ଥନା ସରିବା ପରେ ଏଲିଜାବେଥ୍ କେଭି ଷ୍ଟ୍ୟାଟେନ୍ ନାମ୍ନୀ ଜଣେ ମହିଳା ନାରୀ ସମାଜକୁ ସଚେତନ କରିବା ପାଇଁ ଆଗେଇ ଆସିଥିଲେ। ବିଭିନ୍ନ କ୍ଷେତ୍ରରେ ନାରୀକୁ ତା’ର ଅଧିକାର ଦେବା ସହ ଭୋଟ୍ ଦେବା ଅଧିକାର ହାସଲ କରିବା ଥିଲା ଏହି ନାରୀ ଆନ୍ଦୋଳନର ମୂଳଲକ୍ଷ୍ୟ। ଶ୍ବେତାଙ୍ଗ ମହିଳାଙ୍କ ଏହି ଦୀର୍ଘ ସଂଗ୍ରାମ ଫଳରେ ଆମେରିକାର କେତୋଟି ରାଜ୍ୟର ମହିଳାମାନେ ସେମାନଙ୍କ ଅଧିକାର ହାସଲ କରିବାକୁ ସମର୍ଥ ହୋଇଥିଲେ। ମାର୍ଚ୍ଚ ୮, ୧୮୫୭ ଦିନ ନ୍ୟୁୟର୍କର ଏକ ଲୁଗା ମିଲ୍ରେ କାମ କରୁଥିବା ମହିଳା କର୍ମଚାରୀଙ୍କ ଦରମା ଓ ଦୈନିକ ୧୬ ଘଣ୍ଟା ପରିବେର୍ତ୍ତ ୧୦ ଘଣ୍ଟା କାମ କରିବା ଦାବିକୁ କେନ୍ଦ୍ରକରି ସମ୍ପୃକ୍ତ ଅଞ୍ଚଳରେ ମହିଳାମାନେ ବିଶାଳ ଶୋଭଯାତ୍ରା କରିବା ସହ ଆନ୍ଦୋଳନ କରିଥିଲେ। ଏହାକୁ ବିଶ୍ବର ପ୍ରଥମ ମହିଳା ଆନ୍ଦୋଳନର ଆଖ୍ୟା ଦିଆଯାଇଥଇଲା। ଏହି ନାରୀ ଆନ୍ଦୋଳନର ସୁତ୍ରପାତ ହେବା ପରେ ଏହା ସମଗ୍ର ନାରୀ ସମାଜକୁ ଉଦ୍ବୁଦ୍ଧ କରିଥିଲା। ପରବର୍ତ୍ତୀ ସମୟରେ ଏହା ବହୁ ଐତିହାସିକ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ଏଥିରେ ଉଦ୍ବୁଦ୍ଧ ହୋଇ ଜର୍ମାନୀର ଷ୍ଟୁଆର୍ଟ ଗାର୍ଟେ ସହରର ୧୯୦୭ରେ ଆଉ ଏକ ନାରୀ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନକୁ ସମଗ୍ର ବିଶ୍ବରେ ‘କ୍ଲାରା ଜେଟ୍କିନ୍ଙ୍କ ଭୋଟ୍ ଫର୍ ଓମ୍ୟାନ୍’ ଦାବି ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। ସେହିପରି ୧୯୦୮ ମସିହା ମାର୍ଚ୍ଚ ୮ ତାରିଖରେ ରାଜନୈତିକ ଓ ସାମାଜିକ ଅଧିକାର ପାଇବା ଲାଗି ନ୍ୟୁୟର୍କରେ ଏକ ସଭା କରାଯାଇଥିଲା। ୧୯୦୯ ଫେବ୍ରୁଆରୀ ୨୮ରେ ଆମେରିକା ପ୍ରଥମ ଥର ପାଇଁ ଜାତୀୟ ମହିଳା ଦିବସ ପାଳନ କରିଥିଲା। ଏହାପରେ ୧୯୧୧ରେ କୋପେନ୍ହେଗନ୍ ଠାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଲାଗି ପ୍ରସ୍ତାବ ଆଗତ ହୋଇଥିଲା। ତେବେ ୧୯୭୫ରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପ୍ରଥମ ଥର ଲାଗି ମିଳିତ ଜାତିସଂଘ ପକ୍ଷରୁ ପାଳନ କରାଯାଇଥିଲା।
କାହିଁକି ପାଳନ କରାଯାଏ ?
କ୍ଲାରା ଜେଟ୍କିନ୍ଙ୍କ ବିଚାର ପରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ ଜଣ ମହିଳା ଯୋଗଦେଇଥିଲେ। ସେମାନେ ସମସ୍ତେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ଉପରେ ନିଜର ସହମତି ବ୍ୟକ୍ତ କଲେ। ଯାହାପରେ ୧୯ ମାର୍ଚ୍ଚ ୧୯୧୧ ମସିହାରେ ଜର୍ମାନୀ, ଅଷ୍ଟ୍ର୍ରିଆ, ଡେନ୍ମାର୍କ ଓ ସ୍ୱିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଗଲା। ପରେ ୧୯୧୩ ମସିହାରେ ଏହି ଦିନକୁ ବଦଳାଇ ମାର୍ଚ୍ଚ ୮ ତାରିଖ ରଖାଗଲା। ୧୯୭୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଙ୍ଘ ପ୍ରଥମ ଥର ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କଲା। ଏହାକୁ ପୂର୍ବେ ‘ଆନ୍ତର୍ଜାତିକ ଶ୍ରମଜୀବୀ ମହିଳା ଦିବସ’ କୁହାଯାଉଥିଲା। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳାଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା ଓ ସେମାନେ ରାଜନୀତିକ, ସାମାଜିକ ଏବଂ ଆର୍ଥିକ ବିକାଶରେ ଭାଗିଦାରୀ ହେବେ। ଏହି ଦିନରେ ବାଇଗଣୀ ରିବନ୍ ବାନ୍ଧି ଏହାକୁ ପାଳନ କରନ୍ତି।
ମହିଳାମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ :
ସମ୍ପତି ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନ ରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭଶୀଳ ହେବା ପାଇଁ ଚେଷ୍ଟା କରୁଛି। ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢ଼ିବାକୁ ପ୍ରୟାସ କରୁଛି। ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାସତ୍ତ୍ବେ ସମାଜରେ ସମ୍ମାନର ସହ ବଞ୍ଚିବାକୁ ସେ ତା’ର ସଂଘର୍ଷ ଜାରି ରଖିଛି। ଆଜି ମଧ୍ୟ ଆମ ସମାଜରେ ଅନେକ ମହିଳା ଅଶିକ୍ଷା, ବାଲ୍ୟ ବିବାହ, ଯୌତୁକ ପ୍ରଥା, ଯୌନ ଉତ୍ପୀଡ଼ନ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହିଳାମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜାନାମାନ ରହିଛି। ସେଗୁଡ଼ିକ ହେଲା ସମସ୍ତଙ୍କୁ ମାଗଣାରେ ସର୍ବନିମ୍ନ ଶିକ୍ଷା, ସମସ୍ତ ମହିଳାଙ୍କ ସୁସ୍ଥ ଜୀବନଧାରଣ ପାଇଁ ଯୋଜନା ଏବଂ ମହିଳାମାନଙ୍କ ପାଇଁ ବ୍ୟାପକ କର୍ମ ନିଯୁକ୍ତିର ଯୋଜନା ଇତ୍ୟାଦି। ଭାରତର ସମ୍ବିଧାନ ଅନୁଯାୟୀ ସର୍ବନିମ୍ନ ଶିକ୍ଷା ପାଇଁ ୧୪ ବର୍ଷ ଯାଏ ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେହିପରି ଆର୍ଥିକ ଦୃଷ୍ଟିକୋଣରୁ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱୟଂସହାୟକ ଦଳ ଗଠନ ଏବଂ ଏହା ମାଧ୍ୟମରେ ରୋଜଗାରର ଅବସର ସୃଷ୍ଟି କରାଯାଇଛି। ମହିଳାମାନଙ୍କୁ ନିର୍ବାଚନରେ ସଂରକ୍ଷଣ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି।
ମହିଳାଙ୍କ ସୁରକ୍ଷା :
ଏହାବାଦ୍ ମହିଳାଙ୍କ ସୁରକ୍ଷା ପାଇଁ ମଧ୍ୟ ଆମ ଦେଶରେ ବିଭିନ୍ନ ପ୍ରକାରର ଆଇନ ରହିଛି। ସ୍ୱାବଲମ୍ବୀ ହେବା ପାଇଁ ପ୍ରତ୍ୟେକ ମହିଳାର ଶିକ୍ଷାଗ୍ରହଣ ଓ କାର୍ଯ୍ୟ କରିବାର ଅଧିକାର ରହିଛି। ମହିଳାଙ୍କୁ ଏଥିରୁ ବଞ୍ଚିତ କରିବା ଅପରାଧ। ମାତ୍ର ଏସବୁ ସତ୍ତ୍ବେ ଆମ ସମାଜରେ ଅନେକ ମହିଳା ବିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଜରୁରୀ। ମହିଳାମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଆମକୁ ସମ୍ବେଦନଶୀଳ ହେବାକୁ ପଡ଼ିବ। ଆଜି ମଧ୍ୟ ଶୋଷଣର ଶିକାର ହେଉଥିବା ମହିଳାଟି ଏହାର ପ୍ରତିରୋଧ କରିବାକୁ କୁଣ୍ଠାବୋଧ କରୁଛି। ସମାଜ ତା’ ଉପରେ ହିଁ ଅଙ୍ଗୁଳି ଉଠାଇବା ଭୟରେ ସେ ଚୁପ୍ ରହୁଛି। ଏଥିପାଇଁ ପୋଲିସ୍ ଷ୍ଟେସନ୍, ହସ୍ପିଟାଲ୍ ଓ କୋର୍ଟରେ ଏହି ଧରଣର ମାମଲାର ପରିଚାଳନା କରୁଥିବା ବ୍ୟକ୍ତିମାନେ ଅଭିଯୋଗକାରିଣୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍। ଏଥିପାଇଁ ଆମକୁ ହିଁ ପ୍ରୟାସ କରିବାକୁ ପଡ଼ିବ ଯେପରି ପିଲାଟି ଦିନରୁ କନ୍ୟା ସନ୍ତାନକୁ ତା’ର ପରିବାରବର୍ଗ ଓ ସମାଜରେ କିପରି ସଂସ୍କାର ମୁତାବକ ଚଳିବାକୁ ହେବ, ସେ ସମ୍ପର୍କରେ ଶିକ୍ଷା ଦେଇଥାନ୍ତି। ଠିକ୍ ସେହିପରି ପିଲାଟି ବେଳରୁ ଯଦି ଆମେ ମହିଳାଙ୍କୁ କିପରି ବ୍ୟବହାର କରାଯିବ ତଥା ସମ୍ମାନ ଦିଆଯିବ, ସେ ସମ୍ପର୍କରେ ଶିଖାଇ ପାରିଲେ ହୁଏତ ଆଗାମୀ ପିଢି ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବ। ଏହାସହିତ ମହିଳାମାନେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ କାନୁନ୍ ବିଷୟରେ ଅବଗତ ହେବା ଆବଶ୍ୟକ।
