ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ
ହାଇଦରାବାଦ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳାଯିବ। ଦିନିକିଆ ବିଶ୍ବକପ୍ ବର୍ଷରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ଭାରତ ୩-୦ରେ ପୋଛିନେଇଛି। ଶ୍ରୀଲଙ୍କାକୁ ମୂଳପୋଛ କରିବାର ମାତ୍ର ୩ ଦିନ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଆଉ ଏକ ଦିନିକିଆ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଗଲାଣି। ଏଥର ପ୍ରତିଦ୍ବନ୍ଦ୍ବୀ ରହିଛି ନ୍ୟୁଜିଲାଣ୍ଡ୍। ଏହି ଦୁଇ ଦଳ ମଧ୍ୟରେ ପ୍ରଥମେ ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦରୁ ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳାଯିବ। ଗତ ଦିନିକିଆ ବିଶ୍ବକପ୍ର ରନର୍ସଅପ୍ ନ୍ୟୁଜିଲାଣ୍ଡ ଭଲ ଦଳ ହୋଇଥିଲେ ମଧ୍ୟ ଘରୋଇମାଟିରେ ଭାରତର ରେକର୍ଡ ମଧ୍ୟ ବହୁତ ଭଲ। ଏହି ଶୃଙ୍ଖଳା ଜିତିବା ପାଇଁ ଭାରତ ଫେଭରିଟ୍ ଥିଲେ ହେଁ ନ୍ୟୁଜିଲାଣ୍ଡ ଦଳରେ ଏପରି ଖେଳାଳି ଅଛନ୍ତି; ଯେଉଁମାନେ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇପାରନ୍ତି।
ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ବିରାଟ କୋହଲି ୨ଟି ଶତକ ସହ ୨୮୩ ରନ୍ କରିଛନ୍ତି। ଶୁବ୍ମାନ ଗିଲ୍ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ୨୦୭ ରନ୍ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି। ମହମ୍ମଦ ସିରାଜ୍ ୩ଟି ମ୍ୟାଚ୍ରୁ ୯ଟି ଏବଂ କୁଲଦୀପ ଯାଦବ ଓ ଉମ୍ରାନ୍ ମାଲିକ୍ ୨ଟି ମ୍ୟାଚ୍ରୁ ୫ଟି ଲେଖାଏଁ ୱିକେଟ ନେବା ଦଳକୁ ଉତ୍ସାହିତ କରିଛି। ନ୍ୟୁଜିଲାଣ୍ଡ ଶେଷ ଦିନିକିଆ ଶୃଙ୍ଖଳା ଉପମହାଦେଶ ପିଚ୍ରେ ଖେଳି ଘରୋଇ ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି। ଉକ୍ତ ଦଳରେ ଥିବା କେନ୍ ୱିଲିୟମ୍ସନ ଓ ଟିମ୍ ସାଉଦି ଆସିନାହାନ୍ତି। ନ୍ୟୁଜିଲାଣ୍ଡ ଉଭୟଙ୍କ ଅନୁପସ୍ଥିତି ଅନୁଭବ କରିବ। ଭାରତ ଶକ୍ତିଶାଳୀ ଥିଲେ ହେଁ ଅପରାଜେୟ ନୁହେଁ। ଗତମାସରେ ଭାରତକୁ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିଥିଲା ଘରୋଇ ବାଂଲାଦେଶ। ଟମ୍ ଲାଥାମ୍ ଦଳର ନେତୃତ୍ବ ନେଉଛନ୍ତି। ଡେଭନ୍ କନ୍ୱେ, ଫିନ୍ ଆଲେନ୍, ଗ୍ଲେନ୍ ଫିଲିପ୍ସ, ଡ୍ୟାରିଲ ମିଚେଲ ଭାରତୀୟ ବୋଲିଂର ସଫଳ ମୁକାବିଲା କରିବାକୁ ସମର୍ଥ। ହେଲେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏହା ବିପକ୍ଷରେ ଭାରତ ଗତ ୨ଟି ଦିନିକିଆରେ ପ୍ରଥମେ ବ୍ୟାଟିଂକରି ୩୭୩ ଓ ୩୯୦ ରନ୍ କରିଥିଲା। ପେସ୍ ବୋଲର ଭାବେ ଲୋକି ଫର୍ଗୁସନ୍ ଖେଳିବା ନିଶ୍ଚିତ। ଆଉ ୨ଟି ପେସ୍ ବୋଲର ସ୍ଥାନ ପାଇଁ ଡଗ୍ ବ୍ରେସ୍ୱେଲ, ହେନ୍ରି ସିପ୍ଲି ଓ ଡ୍ୟାରିଲ ଡଫିଙ୍କ ମଧ୍ୟରେ ମୁକାବିଲା କରିବେ। ବ୍ୟାଟିଂ ଲାଇନ୍କୁ ଲମ୍ବା କରିବା ଲାଗି ନ୍ୟୁଜିଲାଣ୍ଡ ଦୁଇ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ମିଚେଲ ସାଣ୍ଟ୍ନର ଓ ମାଇକେଲ ବ୍ରେସ୍ୱେଲଙ୍କୁ ଖେଳାଇପାରେ।
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳରୁ କେ.ଏଲ୍. ରାହୁଲ ଓ ଅକ୍ଷର ପଟେଲ ବାଦ୍ ପଡ଼ିଛନ୍ତି। ରାହୁଲଙ୍କ ସ୍ଥାନରେ ୱିକେଟ ରକ୍ଷକ ଭାବେ ଈଶାନ୍ କିଷନ୍ ଖେଳିବାକୁ ଥିବା ବେଳେ ଅକ୍ଷରଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଖେଳିପାରନ୍ତି। ଶ୍ରେୟାସ ଆୟର ଶୃଙ୍ଖଳାରୁ ବାଦ୍ ପଡ଼ିଥିବାରୁ ସୂର୍ଯ୍ୟକୁମାର ଯାଦବ ୪ନଂ ସ୍ଥାନରେ ଖେଳିବେ। ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ଉଭୟ ଦଳଙ୍କ ମଧ୍ୟରେ ଅଦ୍ୟାବଧି ୧୧୩ଟି ଦିନିକିଆ ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ୫୫ଟି ଓ ନ୍ୟୁଜିଲାଣ୍ଡ ୫୦ଟି ଜିତିଛନ୍ତି। ହାଇଦରାବାଦ ପିଚ୍ରେ ବଲ୍ ସ୍ପିନ୍ କରିପାରେ। ଭାରତ ଯଦି ଏହି ଶୃଙ୍ଖଳାକୁ ୩-୦ରେ ଜିତେ; ଏହା ବିଶ୍ବର ୧ନଂ ଦିନିକିଆ ଦଳ ହୋଇପାରିବ।
ସମ୍ଭାବ୍ୟ ଭାରତ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ୱିକେଟ୍ରକ୍ଷକ), ହାର୍ଦ୍ଦିକ୍ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, କୁଲ୍ଦୀପ ଯାଦବ/ୟୁଝ୍ବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ : ଫିନ୍ ଆଲେନ୍, ଡେଭନ୍ କନ୍ୱେ, ମାର୍କ ଚାପ୍ମ୍ୟାନ୍/ହେନ୍ରି ନିକୋଲାସ୍, ଡାରିଲ ମିଚେଲ, ଟମ୍ ଲାଥମ୍ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରାସ୍ୱେଲ, ମିଚେଲ ସାଣ୍ଟ୍ନର, ହେନ୍ରି ସିପ୍ଲେ/ଡଗ୍ ବ୍ରାସ୍ୱେଲ, ଜାକୋବ ଡଫି, ଲୋକି ଫର୍ଗୁସନ୍।
