ରାଜ୍ୟରେ କରୋନା ସଂକ୍ରମିତ ଆଉ ୪୦ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୨ହଜାର ୬୪୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣ ରହିଥିବା ବେଳେ କଟକ, ବରଗଡ଼ ଓ ନୟାଗଡ଼ ଜିଲାରୁ ୫ଜଣ ଲେଖାଏଁ, ପୁରୀ ଜିଲାରୁ ୪ଜଣ ରହିଥିବା ବେଳେ ଅନୁଗୁଳ, ଗଞ୍ଜାମ ଜିଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି ଜିଲାରୁ ୨ଜଣ ରହିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ହଜାର ୯୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୦୬,୪୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୭୦,୭୮୭ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୬୧୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୯୭୦ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
