ଆଜି ଓ କାଲି ଏହିସବୁ ଜିଲାରେ ବର୍ଷା, ୧୧ରୁ ଫେରିବ ଶୀତ
ଭୁବନେଶ୍ୱର : ପଶ୍ଚିମା ବାୟୁ ପ୍ରବାହରେ ଆସନ୍ତାକାଲି ଠାରୁ ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୯ରେ ଆଭ୍ୟନ୍ତରୀଣ ଏବଂ ୧୦ରେ ଉପାନ୍ତରୁ ଉପକୂଳ ଯାଏଁ ରହିବ ପଶ୍ଚିମା ଝଡ଼ର ପ୍ରଭାବ । ୯ ଓ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ପଶ୍ଚିମା ଝଡ଼ ଅପସାରଣ ପରେ ରାଜ୍ୟକୁ ଫେରିବ ଶୀତ । ଅର୍ଥାତ ୧୧ ତାରିଖରୁ ରାତିର ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ ଡକ୍ଟର ଏଚ୍.ଆର୍ ବିଶ୍ୱସ କହିଛନ୍ତି, ୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କା ବର୍ଷା ହୋଇପାରେ । ଠିକ୍ ସେମିତି ୧୦ ତାରିଖରେ ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢ଼େଙ୍କାନାଳ, ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ୧୧ ଓ ୧୨ ତାରିଖରେ ପାଗ ଶୁଖିଲା ରହିବ । କିନ୍ତୁ ଶୀତ ବଢ଼ିବ ବୋଲି ଡକ୍ଟର ବିଶ୍ୱସ କହିଛନ୍ତି । ସେ କହିଛନ୍ତି, ବୁଧବାର କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ଅପସାରଣ ପରେ ୧୧ ତାରିଖରୁ ରାତିର ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସହରରେ ବୁଧବାର ସକାଳେ କୁହୁଡି ହୋଇପାରେ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ କହିଛନ୍ତି ।
