ଆଜି ଓଏସ୍ଏସ୍ଟିଇଟି ପରୀକ୍ଷା
ଭୁବନେଶ୍ୱର : ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ବୁଧବାର ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପେପର ୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର ୨ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପେପର-୧ ପାଇଁ ୩୩୮ ଓ ପେପର-୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୪୦ଟି ନୋଡାଲ ସେଂଟର୍ ମଧ୍ୟ ରହିବ । ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ହେଡ୍ ଅଫିସ କଟକରେ କେଂଟ୍ରାଲ ରୁମ୍ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।
ସେହିପରି କପି କରିବାକୁ ପ୍ରୟାସ ନ କରିବାକୁ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ଆଗୁଆ ସତର୍କ କରି ଦିଆଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନିୟମ ଅନୁଯାୟୀ ଯେଉଁ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ରେ ବୁକ୍ ହେବେ ସେ ଆଉ କେବେ ଓଏସଏସଟିଇଟି ଦେଇପାରିବେ ନାହିଁ । ଏଥିସହ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି । ପରୀକ୍ଷା କେନ୍ଦ୍ରରେ କୌଣସି ଷ୍ଟାଫ୍ ଓ ସୁରକ୍ଷାକର୍ମଚାରୀ ମଧ୍ୟ ଫୋନ୍ ରଖିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
