ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୫ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣ ରହିଥିବା ବେଳେ ବରଗଡ଼ ଜିଲାରୁ ୭ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲାରୁ ୬ଜଣ ରହିଥିବା ବେଳେ ସମ୍ବଲପୁର, ଝାରସୁଗୁଡ଼ା ଜିଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, ପୁରୀ ଜିଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୭୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୭୪,୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୫୧,୦୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୨୬୨ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୫,୭୬୮ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
