ଦେଶରେ ଆଉ ୩୮,୬୨୮ କରୋନା ସଂକ୍ରମିତ ଚିହ୍ନଟ ଓ ୬୧୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୬୦୦ ଟପିଛି । ଦେଶର ଦୈନିକ ପଜିଟିଭିଟି ହାର ୨.୨୧ ପ୍ରତିଶତ ଓ ସାପ୍ତାହିକ ପିଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଶୁକ୍ରବାର ଦେଶରେ ମୋଟ ୪୯ଲକ୍ଷ ୫୫ ହଜାର ମାତ୍ରା ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ୫୦ କୋଟି ୧୦ ଲକ୍ଷ ମାତ୍ରା ଟିକା ଦିଆଯାଇସାରିଲାଣି ।
ଶନିବାର ଗତ ୨୪ଘଣ୍ଟାରେ ୩୮ହଜାର ୬୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୦ହଜାର ୦୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୮ଲକ୍ଷ ୯୫ହଜାର ୩୮୫କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୭ହଜାର ୩୭୧ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୦ଲକ୍ଷ ୫୫ହଜାର ୮୬୧ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୧୨ହଜାର ୧୫୩ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
