ଦେଶରେ ଆଉ ୧୩,୧୬୬ ସଂକ୍ରମିତ ଓ ୩୦୨ ମୃତ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ କମ୍ ହେବାରେ ଲାଗିଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୧୬୬ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୯୮୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧୪,୧୨୪ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧.୨୮ ପ୍ରତିଶତ ରହିଛି । ଗତକାଲି ଦେଶରେ ସଂକ୍ରମଣ ଦର ୧.୨୨ ପ୍ରତିଶତ ଥିଲା । ସେହିପରି ଗତକାଲି ଦେଶରେ ୧୪ ହଜାର ୧୪୮ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା । କୋରୋନା ମାମଲାରେ ୭ ପ୍ରତିଶତ କମି ରେକର୍ଡ କରାଯାଇଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୫୧ ହଜାର ୯୨୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୨ ଲକ୍ଷ ୪୬ ହଜାର ୮୮୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୩୪ ହଜାର ୨୩୫ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୩ ହଜାର ୨୨୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୨୪ ପର୍ଯ୍ୟନ୍ତ ସାରା ଦେଶରେ ୧୭୬ କୋଟି ୮୬ ଲକ୍ଷ ୮୯ ହଜାର ୨୬୬ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ଲକ୍ଷ ୪ ହଜାର ୪୨୬ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୬ କୋଟି ୪୫ ଲକ୍ଷ ୯୯ ହଜାର ୧୮୧ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୩୦ ହଜାର ୧୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ କମ୍ ରହିଛି ।
