ୟୁକ୍ରେନରେ ଏବେବି ଫସି ରହିଛନ୍ତି ୧୮,୦୦୦ ଭାରତୀୟ! ହେଲ୍ପ ଲାଇନ ନମ୍ବର ଜାରି,ଘରେ ରହିବାକୁ ପରାମର୍ଶ
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ନେଇ ସମଗ୍ର ବିଶ୍ୱ ଚିନ୍ତିତ । ରୁଷ୍ ଏକକାଳୀନ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରିଛି। ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି। ଭୟଙ୍କର ଯୁଦ୍ଧ ସ୍ଥିତିରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଏକ ବିବୃତ୍ତି ଜାରି କରିଛନ୍ତି।
ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀ କହିଛନ୍ତି, କିଭରେ ଥିବା ଭାରତୀୟ ଦୂତାବାସ ଖୋଲା ଅଛି ଏବଂ କାର୍ଯ୍ୟ କରୁଛି | ଏହି କଠିନ ପରିସ୍ଥିତିର ସମାଧାନ ଖୋଜିବା ପାଇଁ ଆମେ ମିଶନ୍ ମୋଡ୍ ଉପରେ କାର୍ଯ୍ୟ କରୁଛୁ । ସେ କହିଛନ୍ତି, ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି ଏବଂ ବାୟୁସୀମା ମଧ୍ୟ ବନ୍ଦ ରହିଛି । ଆପଣମାନେ ଯେଉଁଠାରେ ଅଛନ୍ତି, ସେଠାରେ ରୁହନ୍ତୁ । ଶାନ୍ତ ଓ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରନ୍ତୁ । ଏହି କଠିନ ପରିସ୍ଥିତିର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ତେବେ ଏହି ହେଳ୍ପଲାଇନ ନମ୍ବର ୟୁକ୍ରେନରେ ଅଟକି ଥବବା ଶିକ୍ଷାର୍ଥୀ ଓ ଅନ୍ୟାନ୍ୟ ବାସିନ୍ଦାଙ୍କ ପାଇଁ କାର୍ଯ୍ୟକରିବ । ହେଲପ ଲାଇନ୍ ନମ୍ବର ହେଉଛି >> +୩୮୦-୯୯୭୩୦୦୪୨୮, ୯୯୭୩୦୦୪୮୩ । କଣ୍ଟ୍ରୋଲ ରୃୁମ ନମ୍ବର- ୧୮୦୦୧୧୮୭୯୭ ।
ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାର ଆଡଭାଇଜରୀ ଜାରି କରିସାରିଛନ୍ତି। କେନ୍ଦ୍ର ୟୁକ୍ରେନକୁ ବିମାନ ପଠାଇଛି କିନ୍ତୁ ମୁଁ ଯେତେ ଦୂର ଜାଣିଛି, ବିମାନ ସେଠାରେ ଅବତରଣ କରିବା ସ୍ଥିତିରେ ନାହିଁ। ସରକାର ନିରନ୍ତର ଚେଷ୍ଟା କରୁଛନ୍ତି। ପରିସ୍ଥିତି ଜଟିଳ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। ୟୁକ୍ରେନ-ରୁଷ ପ୍ରସଙ୍ଗରେ ରାଜନାଥ ସିଂହ କହିଛନ୍ତି ଯେ ଭାରତ ଶାନ୍ତି ଚାହୁଁଛି । ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ। ଯୁଦ୍ଧର ସ୍ଥିତି ସୃଷ୍ଟି ହେବା ଉଚିତ୍ ନୁହେଁ । ଅନ୍ୟପକ୍ଷରେ ୟୁକ୍ରେନରେ ଛାତ୍ରଙ୍କ ସମେତ ପ୍ରାୟ ୧୮,୦୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଦକ୍ଷେପ ନେଉଛି। ୟୁକ୍ରେନର ବାୟୁସୀମା ବନ୍ଦ ଅଛି, ତେଣୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି | କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବି ମୁରରଲୀଧରନ୍ କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବେ |
