ବାଲେଶ୍ୱର : ୬୨ ସଂକ୍ରମିତ, ୯୭ ସୁସ୍ଥ
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ବାଲେଶ୍ୱର ଜିଲାରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ କମିବାକୁ ନେଇ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୭ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ଭାସ୍କରଗଞ୍ଜ, ଗଡଗଡିଆ, ସହଦେବଖୁଂଟା, ଫିରିଙ୍ଗିପାଟଣା, ଫକୀର ମୋହନ ନଗର ଓ ତନ୍ତିସାହି ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ଦିନକରେ ବାଲେଶ୍ୱର ପୌରାଞ୍ଚଳରେ ମାତ୍ର ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାହାନାଗା ବ୍ଲକରୁ ଜଣେ, ବାଲିଆପାଳ ବ୍ଲକରୁ ୧୧ଜଣ, ବସ୍ତା ବ୍ଲକରୁ ୩ଜଣ, ଭୋଗରାଇ ବ୍ଲକରୁ ୩ଜଣ, ଜଳେଶ୍ୱର ବ୍ଲକରୁ ୧୨ଜଣ, ନୀଳଗିରି ବ୍ଲକରୁ ୮ଜଣ, ରେମୁଣା ବ୍ଲକରୁ ୩ଜଣ ଓ ସଦର ବ୍ଲକରୁ ୧୪ଜଣ ବ୍ୟକ୍ତି ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮,୫୧୬ରେ ପହଞ୍ଚଥିବା ବେଳେ ଏବେ ସୁଦ୍ଧା ୩୭,୬୦୧ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୬୯୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୧୫ଜଣ ଗୃହ ସଙ୍ଗରୋଧରେ ଏବଂ ୫୪ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ଘଂଟା ମଧ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା କରାଯାଇ ନଥିବା ବେଳେ ଜିଲାରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୩ରେ ସ୍ଥିର ରହିଥିବା ସରକାରୀ ୱେବସାଇଟରେ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ବାଲେଶ୍ୱରରେ ସାମୁହିକ ଟିକାକାରଣ ପୁଣି ଥରେ ତ୍ୱରାନ୍ୱିତ ହୋଇଛି । ତେବେ ୯ ଓ ୧୦ ତାରିଖର ଦୁଇ ଦିନିଆ ପର୍ଯ୍ୟାୟର ପ୍ରଥମ ଦିନରେ ୧୫,୧୩୮ଜଣଙ୍କୁ ଟିକା ପ୍ରଦାନ କରାଯାଇଛ । ଏହି ଦୁଇ ଦିନରେ ୧୮-୪୪ ବର୍ଷ ବର୍ଗର ୨୦ହଜାର ବ୍ୟକ୍ତିଙ୍କୁ ଅନଲାଇନ ସ୍ଲଟ ବୁିକିଂ ମାଧ୍ୟମରେ ପ୍ରଥମ ଡୋଜ ଟିକା ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ଏହା ସହିତ ୪୫ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିନା ସ୍ଲଟ ବୁକିଂରେ ସିଧାସଳଖ ଟିକାକେନ୍ଦ୍ରରେ ପହଂଚି ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇପାରିବେ । ଏଥିପାଇଁ ୧୦ ହଜାର ଡୋଜ ଟିକା ସଂରକ୍ଷିତ ରଖାଯାଇଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲାରେ ମୋଟ ୮,୯୭,୮୪୮ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୬,୪୧,୫୪୫ ଜଣ ପ୍ରଥମ ଡୋଜ ଓ ୨,୫୬,୩୦୩ ଜଣ ଦ୍ୱିତୀୟ ଡୋଜ ଟିକା ନେଇ ସାରିଥିବା ଜଣାପଡିଛି ।
