ବାଲେଶ୍ୱର : ନାଇଟ କର୍ଫ୍ୟୁ ପ୍ରତ୍ୟାହାର ସହ କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ବିକ୍ଷୋଭ
ବାଲେଶ୍ୱର : କରୋନା କାଳରେ ଜୀବିକା ହରାଇ ଘରେ ବସିରହିଥିବା ଯାତ୍ରା କଳାକାରଙ୍କ ପାଇଁ ରାଜ୍ୟ ସରକାର କଟକଣା କୋହଳ ସହ ଯାତ୍ରା ପରିବେଷଣ ନିମନ୍ତେ ଅନୁମତି ଦେଇଥିବା ସତ୍ୱେ ସମ୍ପ୍ରତି ସମଗ୍ର ରାଜ୍ୟରେ ଜାରି ହୋଇଥିବା ନାଇଟ କଫ୍ରୁ୍ୟ କଳାକାରଙ୍କ ସମସ୍ୟା ସମାଧାନରେ ଅନ୍ତରାୟ ହୋଇଛି । ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ବିରୋଧରେ ରାଜ୍ୟ କଳାକାର ମହାସଂଘ ପକ୍ଷରୁ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଭାବେ ପ୍ରତିବାଦ ପ୍ରତିଫଳିତ ହୋଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଂଘର ବାଲେଶ୍ୱର ଶାଖା କର୍ମକର୍ତାଙ୍କ ନେତୃତ୍ୱରେ ଶତାଧିକ କଳାକାର ଏହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାକାରମାନଙ୍କ ପ୍ରତି ରାଜ୍ୟସରକାରଙ୍କ ଉପେକ୍ଷା ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଥମ ଲହର କରୋନା ସଂକ୍ରମଣ କାଳରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଲକଡାଉନ ଏବଂ ସଟଡାଉନ କଟକଣାରେ ସବୁବର୍ଗର କଳାକାରମାନେ ଜୀବିକା ହରାଇ ଅତ୍ୟନ୍ତ ଦୁର୍ଦ୍ଦିନରେ ରହିଛନ୍ତି । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ, ଘର ଘଡା ଦେବା ଓ ଋଣ ପରିଶୋଧ କରିବା ପ୍ରଭୃତି ଦୁରୁହ ବ୍ୟାପାର ହୋଇପଡିଛି ।
କରୋନା କଟକଣାରେ ପ୍ରଭାବିତ ଲୋକଙ୍କୁ ତେଲେଙ୍ଗାନା, ତାମିଲନାଡୁ ଏବଂ ଦିଲ୍ଲୀ ଭଳି ରାଜ୍ୟ ବିଭିନ୍ନ ପ୍ରକାର ଆର୍ôଥକ ସାହାଯ୍ୟ ଦେଉଥିବା ବେଳେ ଓଡିଶା ସରକାର କଳାକାରମାନଙ୍କ ପ୍ରତି ଆଖି ବୁଜିଦେବା ନିନ୍ଦନୀୟ ବୋଲି ସଂଘର କର୍ମକର୍ତାମାନେ କହିଥିଲେ । ଏନେଇ ଗତ ଜୁଲାଇ ୮ ତାରିଖରେ ରାଜ୍ୟ କଳାକାର ମହାସଂଘ ନେତୃତ୍ୱରେ କଳାକାରମାନେ ଭତ୍ତା ପ୍ରଦାନ ପାଇଁ ଦାବି କରିଥିଲେ । ମାତ୍ର ସରକାର ଏହି ଦାବି ପୂରଣ ଦିଗରେ ବିଫଳ ହେବାରୁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସାରା ଓଡ଼ିଶାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତି ହୋଇଥିବା କର୍ମକର୍ତାମାନେ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ କଟକଣା କୋହଳ ସହ ଯାତ୍ରା ପରିବେଷଣ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ବି ଜାରି ନାଇଟ କଫ୍ରୁ୍ୟ ଯୋଗୁଁ ଏହା ଆଦୌ ସମ୍ଭବ ନୁହେଁ ଜାଣି ମଧ୍ୟ ସରକାର କଳାକାରମାନଙ୍କ ପ୍ରତି ନିରବଦ୍ରଷ୍ଟା ସାଜିବା ବାସ୍ତବିକ ଦୁଃଖ ଓ ପରିତାପର ବିଷୟ ବୋଲି ସଂଘ ନେତାମାନେ କହିଥିଲେ । କରୋନା କାଳରେ କଳାକାରମାନଙ୍କ ପାଇଁ ମାସିକ ୫ ହଜାର ଲେଖାଏଁ ଭତ୍ତା ଘୋଷଣା, କଳାକାରମାନଙ୍କୁ ଏମଏସଏମଇ ତାଲିକାଭୁକ୍ତି ସହ ଋଣ ପ୍ରଦାନ, ନେଇଥିବା ଋଣ ପରିଶୋଧ ପାଇଁ ଅଧିକ ୨ବର୍ଷର ଅବଧି ପ୍ରଦାନ, ଯାତ୍ରା ପରିବେଷଣ ପାଇଁ ନାଇଟ କଫ୍ରୁ୍ୟ ତୁରନ୍ତ ପ୍ରତ୍ୟାହାର, ସାମ୍ଭାବ୍ୟ ତୃତୀୟ ଲହରୀରେ ଲକଡାଉନ ଏବଂ ସଟଡାଉନ ଘୋଷଣା ହେଲେ ଅଗ୍ରୀମ ୬ ମାସର ପ୍ୟାକେଜ ଘୋଷଣା ପ୍ରଭୃତି ସମ୍ପର୍କରେ କଲାକାଳ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏ ନେଇ ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ୧୫ ଦିନ ମଧ୍ୟରେ ସରକାର ଏହି ଦାବି ସମ୍ପର୍କରେ ନିଷ୍ପତି ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
