କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ତିନି ସାଂସଦଙ୍କ ଦାବି
ନୂଆଦିଲ୍ଲୀ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ‘ଜି.ଆଇ. ଟ୍ୟାଗ୍’ ଦେବା ପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ବରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ଙ୍କୁ ପାର୍ଲାମେଣ୍ଟ୍ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ଦେଇଛନ୍ତି। ରସାବଳୀ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କର ମୁଖ୍ୟ ପ୍ରସାଦ। ‘ଜି.ଆଇ. ଟ୍ୟାଗ୍’ ମିଳିଲେ କେନ୍ଦ୍ରାପଡ଼ାର ରସାବଳୀ ଆହୁରି ଅଧିକ ପରିଚିତ ହେବ। ଦେଶ ଓ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ତୁଳସୀକ୍ଷେତ୍ର ପ୍ରତି ଆକର୍ଷିତ ହେବା ସହ ଭିତର କନିକା, ୧୮୦ ବର୍ଷ ପୁରୁଣା ବ୍ରିଟିସ୍ ଅମଳର ହୁକିଟୁଲା ବତିଘର ଏବଂ ବଙ୍ଗୋପସାଗରର ସୁବିସ୍ତିର୍ଣ୍ଣ ଜଳରାଶି ଆଦି ଦେଖିବାକୁ ମନବଳାଇ ଆସିବେ ବୋଲି ବୁଦ୍ଧିଜୀବୀ ତଥା ସାଂସଦମାନେ ଦାବି କରିଛନ୍ତି।
ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । ଦିଲ୍ଲୀରୁ ଓଡିଶା ପୁରା ପଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଯାନୀ ଯାତ୍ରା, ମେଳା ଓ ପ୍ରଦର୍ଶନୀ ମାନଙ୍କରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । କେନ୍ଦ୍ରାପଡାର ରସାବଳୀକୁ ଜି ଆଇ ଟ୍ୟାଗ ମିଳିଲେ, ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇ ପାରିବ । ଫଳ ସ୍ୱରୂପ ଜାତୀୟ ଏବଂ ଅନ୍ତର୍ଜାତିୟ ପର୍ଯ୍ୟଟକମାନେ ତୁଳସୀ କ୍ଷେତ୍ର ପ୍ରତି ଆକର୍ଷିତ ହେବେ । ତେଣୁ କେନ୍ଦ୍ରାପଡା ରସାବଳୀର ଜି. ଆଇ. ଟ୍ୟାଗ ପାଇଁ ବୁଦ୍ଧିଜୀବୀ, ରାଜ ନେତା ଓ ବିଭିର୍ଣ୍ଣ ଅନୁଷ୍ଠାନ ମାନେ ସାଂସଦ ସୁବାସ ସିଂ, ମୁନା ଖାନ ଓ ମମତା ମହନ୍ତଙ୍କ ମାଧ୍ୟ୍ୟମରେ କମର୍ସ ଓ ଇଣ୍ଡଷ୍ଟ୍ରି ମନ୍ତ୍ରୀଙ୍କ ପାଖରେ ଦାବି ଉଠାଇଛନ୍ତି । ଇତିହାସ କହେ, ଗଙ୍ଗବଂଶ ରାଜତ୍ବ ଅର୍ଥାତ୍ ୪୦୦ ବର୍ଷ ତଳୁ ରସାବଳୀ ସ୍ବାଦିଷ୍ଠ ମିଷ୍ଟାନ୍ନ ଭାବେ ସ୍ବକୀୟ ପରିଚୟ ସୃଷ୍ଟି କରିଛି। ପ୍ରାଚୀନ ଦାଣ୍ଡି ରାମାୟଣ ଏବଂ ଜଗମୋହନ ରାମାୟଣରେ ମଧ୍ୟ ରସାବଳୀ ସମ୍ବନ୍ଧରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। କେନ୍ଦ୍ରାପଡ଼ାର ଅନେକ ବାସିନ୍ଦା ଏହି ରସାବଳୀ ବିକ୍ରୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। କଟକର ପ୍ରସିଦ୍ଧ ବାଲିଯାତ୍ରା ସମେତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରମୁଖ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇ ଏହା ଆଦୃତ ହୋଇପାରିଛି। ଦେଶ ତଥା ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଏଯାବତ୍ କେନ୍ଦ୍ରପଡ଼ାର ରସାବଳୀକୁ ‘ଜି.ଆଇ. ଟ୍ୟାଗ୍’ ମିଳିନାହିଁ।
