ଜମତରା ଗ୍ୟାଙ୍ଗର ୩ ଅପରାଧି ଗିରଫ
ସମ୍ବଲପୁର : ଧରାପଡ଼ିଲେ ଜମତରା ଗ୍ୟାଙ୍ଗର ୩ ଅପରାଧି । ସମ୍ବଲପୁର ଅଇଁଠାପାଲୀ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ରହମତ ଅନସାରୀ, ଝାଡଖଣ୍ଡର ବିଶାଲ ପାଣ୍ଡେ, ବିହାରର ଶେଖର ଗୌତମ । ପୋଲିସ ଅଭିଯୁକ୍ତଙ୍କ ଠାରୁ ନଗଦ ୧ ଲକ୍ଷ ୧୩ ହଜାର ୨୦୦ ଟଙ୍କା ଜବତ କରିଛି । ଏହା ସହ ଗୋଟିଏ ଲାପଟପ, ବିଭିନ୍ନ କମ୍ପାନୀର ୯ଟି ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି ପୋଲିସ ।
ସୂଚନା ଯେ, ସମ୍ବଲପୁର ଅନୁଗୁଳିଆପଡାର ସରୋଜ ଦାସଙ୍କଠାରୁ ସାଇବର ଠକେଇ ମାଧ୍ୟମରେ ୨ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଏନେଇ ସରୋଜ ସମ୍ବଲପୁର ଅଇଁଠାପାଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଛି | ଗତ ୬ ତାରିଖରେ ସରୋଜ ଲୋନ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ତାହା ସଫଳ ହୋଇଥିଲା । ହେଲେ କିସ୍ତି ସୁଝିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବା ପାଇଁ ସରୋଜଙ୍କୁ ଫୋନ୍ କରିଥିଲେ ଏହି ସାଇବର ଠକ । ଫଳରେ ଆବଶ୍ୟକ ପ୍ରକ୍ରିୟା ସରୋଜ ଶେଷ କରି ନପାରିବାରୁ ଏମାନେ ସରୋଜଙ୍କୁ ଏନି ଡେକ୍ସ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିଥିଲେ । ଏହା ପରେ ସାଇବର ଠକ ସରୋଜଙ୍କ ଆକାଉଣ୍ଟରୁ ପଇସା ଲୁଟି ନେଇଥିଲେ ।
