ଆଇସିସି ଡବ୍ଲ୍ୟୁଟିସି ଫାଇନାଲରେ ୩ ଭାରତୀୟ ଦ୍ରୁତ ବୋଲରଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୱାଲ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଆସନ୍ତା ୧୮ ତାରିଖରେ ଖେଳାଯିବ । ସାଉଥମ୍ପଟନର ଏଜିସ ବାଉଲରେ ଖେଳାଯିବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟିମ ଇଣ୍ଡିଆ ୨ ଜଣ ସ୍ପିନର ଓ ୩ ଜଣ ଦ୍ରୁତ ବୋଲରଙ୍କୁ ପଡ଼ିଆକୁ ଓହ୍ଲାଇବ । ସ୍ପିନରରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ସାମିଲ କରାଯାଇପାରେ । କିନ୍ତୁ ଦ୍ରୁତ ବୋଲରକୁ ନେଇ ଏବେବି ସ୍ଥିତି ପୂରା ସ୍ପଷ୍ଟ ହୋଇପାରି ନାହିଁ ।
ଜସପ୍ରିତ ବୁମରା ଭାରତୀୟ ଟିମର ପେସ ଆକ୍ରମଣର ନେତୃତ୍ୱ ନିଅନ୍ତି । ତେଣୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାର ଆଶା ଅଧିକ । ସେ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ୨୨.୪୧ ହାରରେ ୩୪ଟି ୱିକେଟ ନେଇଛନ୍ତି । ବଲକୁ ସୁଇଂ କରିପାରୁଥିବା ଅନ୍ୟ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ ୱାଲ୍ଡ ଟେଷ୍ଟ ଚାମ୍ପିଅନଶିପରେ ୧୮ ପାଳିରେ ୧୯.୭୭ ହାରରେ ୩୬ଟି ୱକେଟ ନେଇଛନ୍ତି । ତାଙ୍କର ପ୍ରଦର୍ଶନ ନୈରାଜ୍ୟଜନକ ନୁହେଁ । ସାମୀ ଭାରତୀୟ ଏକାଦଶରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି । ଭାରତ ପକ୍ଷରୁ ୧୦୧ଟି ଟେଷ୍ଟ ମ୍ୟାଚ ଖେଳି ସାରିଥିବା ଈଶାନ୍ତ ଶର୍ମାଙ୍କୁ ମଧ୍ୟ ସ୍ଥାନ ମିଳିପାରେ । ଈଶାନ୍ତ ୱାଲ୍ଡ ଟେଷ୍ଟ ଚାମ୍ପିଅନଶିପରେ ୧୭.୩୬ ହାରରେ ୩୬ଟି ୱିକେଟ ନେଇଛନ୍ତି । ମହମ୍ମଦ ସିରାଜ ଗତ ଅଷ୍ଟ୍ରେଲିଆ ଗସ୍ତରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କୁ ମଧ୍ୟ ନ୍ୟୁଜଲାଣ୍ଡ ବିରୋଧରେ ସାମିଲ କରାଯିବାର ଆଶଙ୍କା ରହିଛି । ଉମେଶ ଯାଦବ ଜଣେ ଭଲ ଦ୍ରୁତ ବୋଲର । ମାତ୍ର ଉମେଶ ୱାଲ୍ଡ ଟେଷ୍ଟ ଚାମ୍ପିଅନଶିପରେ ୧୮.୫୫ ହାରରେ ୨୯ଟି ୱିକେଟ ନେଇଛନ୍ତି ।
