ପୁଣି କ୍ରିକେଟ ପାଇଁ କାଳ ହେଲା କୋରୋନା! ରଣଜୀ ଟ୍ରଫି ସମେତ ୩ ଘରୋଇ ଟୁର୍ନାମେଣ୍ଟ ସ୍ଥଗିତ
ମୁମ୍ବାଇ : ପୁଣି କ୍ରିକେଟ ପାଇଁ କାଳ ହେଲା କୋରୋନା । ଦେଶରେ ଦୈନିକ ବର୍ଦ୍ଧିତ କୋଭିଡ-୧୯ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ରଣଜୀ ଟ୍ରଫି ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟକୁ ସ୍ଥଗିତ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ।
ଏଥିସିହତ ଚଳିତ ବର୍ଷର ସି କେ ନାଇଡୁ ଟ୍ରଫି, ସିନିୟର ମହିଳା ଟି-୨୦ ଲିଗ୍ ମଧ୍ୟ ସ୍ଥଗିତ ହୋଇଛି । ଚଳିତ ମାସରେ ରଣଜୀ ଟ୍ରଫି ଓ ସିକେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ନେଇ ସୂଚୀ ରହିଥିଲା । ଅନ୍ୟପଟେ ସିନିୟମ ମହିଳା ଟି-୨୦ ଲିଗ୍ ଫେବ୍ରୁଆରୀରେ ଖେଳାଯିବାନେଇ ସୂଚୀ ରହିଥିଲା ।
ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ୍ ଅଧିକାରୀ ଓ ଅନ୍ୟ ଅଂଶଗ୍ରହଣକାରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ପ୍ରତିଥିବା ବିପଦକୁ ଅଣଦେଖା କରିବାକୁ ବୋର୍ଡ ଚାହେଁନାହେଁ । ଏଥିପାଇଁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ୩ଟି ଟୁର୍ନାମେଣ୍ଟକୁ ସ୍ଥଗିତ କରାଯାଉଛି । ବିସିସିଆଇ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ୨୦୨୧-୨୨ ଘରୋଇ ସିଜିନରେ ମୋଟ ୧୧ଟି ଟୁର୍ନାମେଣ୍ଟରେ ପ୍ରାୟ ୭୦୦ରୁ ଅଧିକ ମ୍ୟାଚ୍ ଆୟୋଜନ କରିବାକୁ ସୂଚୀ ରହିଛି ।
