ପୁଣି ମଇଦାନରେ ଛକା-ଚୌକା ସହ ପଡ଼ିବ ଉଇକେଟ୍! ମୈଦାନକୁ ଫେରିବେ ବୀରୁ, ଯୁବି ଓ ଭଜି
ନୂଆଦିଲ୍ଲୀ: ପୁଣି କ୍ରିକେଟ ମୈଦାନରେ ଛକା-ଚୌକା ସହ ପଡ଼ିବ ଉଇକେଟ୍ । ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିଲେ ମଧ୍ୟ ଏହି ପୂର୍ବତନ କ୍ରିକେଟର କ୍ରିକେଟ ମୈଦାନରେ ପୁଣି ଖେଳାଳି ଭାବେ ନଜର ଆସିବେ । ଜାନୁଆରୀ ୨୦ରୁ ଓମାନରେ ଆରମ୍ଭ ହେବାକୁ ଯାଉଥିବା ଲିଜେଣ୍ଡ ଲିଗ୍ କ୍ରିକେଟ(ଏଲଏଲସି)ର ଉଦ୍ଘାଟନୀ ସଂସ୍କରଣରେ ଭାରତୀୟ ମହାରାଜା ଟିମର ପ୍ରତିନିଧିତ୍ୱ କରିବେ ବୀରୁ, ଯୁବି ଓ ଭଜି ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଖେଳାଳି ଏହି ପେଷାଦାର କ୍ରିକେଟ ଲିଗର ପ୍ରଥମ ସଂସ୍କରଣରେ ନଜର ଆସିବେ । ଷ୍ଟାର ଖେଳାଳିରେ ଖଚାଖଚ୍ ତିନୋଟି ଟିମ ମଧ୍ୟରେ ଓମାନର ଏଆଇ ଏମିରାତ କ୍ରିକେଟ ଷ୍ଟାଡିୟମରେ ଲଢେଇ ହେବ । ଅନ୍ୟ ଦୁଇଟି ଟିମ, ଏସିଆ ଓ ଅବଶିଷ୍ଟ ବିଶ୍ୱକୁ ପ୍ରତିନିଧିତ୍ୱ କରିବେ । ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହଙ୍କ ବ୍ୟତୀତ, ଇରଫାନ ପଠାନ, ୟୁସୁଫ ପଠାନ, ବଦ୍ରିନାଥ, ଆରପି ସିଂହ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବଦାନୀ, ଭେନୁଗୋପାଳ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ ଭଣ୍ଡାରୀ ଭାରତୀୟ ମହାରାଜା ଟିମ ପକ୍ଷରୁ ଖେଳିବେ । ଏସିଆ ଟିମର ନାମ ରହିଛି ଏସିଆ ଲାୟନ୍ସ । ଏହି ଟିମରୁ ଖେଳିବେ, ପାକିସ୍ତାନ ଓ ଶ୍ରୀଲଙ୍କା କିମ୍ବଦନ୍ତୀ ଖେଳାଳି ସୋଏବ ଅଖତର, ସାହିଦ ଆଫ୍ରିଦୀ, ସନଥ ଜୟସୁରିୟା, ମୁଥୟା ମୂରଲିଧରନ, କମରନ ଆକମଲ, ଚାମିନ୍ଦା ଭାସ, ରୋମେଶ କାଲୁୱିଥାରନା, ତିଳକରନେô ଦୀଲସନ, ଆଝାର ମହମ୍ମୁଦ, ଉପୁଲ ଥରଙ୍ଗା, ମିଶବାହ-ଉଲ-ହକ୍, ମହମ୍ମଦ ହାଫିଜ, ସୋଏବ ମଲିକ, ମହମ୍ମଦ ୟୁସୁଫ ଓ ଉମର ଗୁଲ୍ । ତୃତୀୟ ଟିମ ଖୁବଶୀଘ୍ର ଘୋଷଣା ହେବାକୁ ଥିବାବେଳେ ପୂର୍ବତନ ଆଫଗାନ କ୍ରିକେଟର ଅସଘର ଆଫଗାନ ମଧ୍ୟ ଏହି ଟିମର ଅଂଶ ରହିବେ ।
