ମଣ୍ଡିରେ ପଡ଼ି ରହୁଛି ହଜାର ହଜାର ବସ୍ତା ଧାନ ମିଲରଙ୍କ ଅବହେଳା ପାଇଁ ଚାଷୀ ହତାଶ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନରେ ଥିବା ଧାନ ମଣ୍ଡି ଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହୁଛି । ସଂପୃକ୍ତ ମିଲରମାନେ ଧାନ ମଣ୍ଡିରୁ ଧାନ ନେବାରେ ଅବହେଳା କରୁଥିବାରୁ ଚାଷୀମାନେ ଠିକ୍ ସମୟରେ ପଇସା ନପାଇ ହତାଶ ହେଉଛନ୍ତି । ସରକାରଙ୍କ ନିୟମ ଅନୁସାରେ ମିଲରମାନେ ଠିକ୍ ସମୟରେ ଧାନ ନେଇ ପାରୁନଥିବାରୁ ସରକାରଙ୍କ ଠାରୁ ଉଚିତ୍ ସମୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସି ପାରୁନାହିଁ । ସରକାର ଘୋଷଣା କରିଥିଲେ ଚାଷୀମାନେ ଧାନ ଦେବାର ୨୪ଘଣ୍ଟା ମଧ୍ୟରେ ପଇସା ପାଇବେ । ମାତ୍ର ଦୀର୍ଘଦିନ ଧରି ଚାଷୀ ଧାନ ଦେଇ ପଇସା ପାଇ ପାରୁନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତ ଲକ୍ଷ୍ମୀନାରାୟଣ ମହିଳା ମହାସଂଘ ଧାନ କିଣିବା ପାଇଁ ଅନୁମତି ପାଇଛି । ମହିଳା ମହାସଂଘ ୪୫୯ ଚାଷୀ ପଞ୍ଜୀକୃତ କରିଥିଲା । ପରେ ୧୧ ହଜାର ୭୭୧ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ପାଇଥିଲା । ଏବେ ସୁଦ୍ଧା ମହିଳା ମହାସଂଘ ୬୯୩୬ କୁଇଣ୍ଟାଲ ଧାନ କିଣି ସାରିଛି । ଆହୁରି ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ି ରହିଛି । ମିଲରମାନେ ନିର୍ଦ୍ଦିଷ୍ଟ ସମୟରେ ଆସୁନଥିବା ବେଳେ ଛୋଟ ଗାଡ଼ି ମାଧ୍ୟମରେ ଧାନ ଉଠାଉ ଥିବାରୁ ଧାନ ପଡ଼ି ରହୁଛି ବୋଲି ମହିଳା ମହାସଂଘ ପକ୍ଷରୁ ସଭାନେତ୍ରୀ ସୁକାନ୍ତୀ ବାରିକ ଓ ସମ୍ପାଦିକା ସ୍ୱର୍ଣ୍ଣଲତା ବାରିକ ସୂଚନା ଦେଇଛନ୍ତି । ତେବେ ମିଲରମାନେ ତୁରନ୍ତ ମଣ୍ଡିରୁ ଧାନ ଉଠାଇବାକୁ ଦାବି କରାଯାଇଛି । ଏଥି ସହିତ ୧୫ ସମବାୟ ସମିତି ଓ ୯ ମହିଳା ମହାସଂଘରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖା ଦେଇଛି । କେଉଁଠି ଅଖାବସ୍ତା ନଥିବାରୁ ମଣ୍ଡି ଧାନ କିଣି ପାରୁନଥିବା ବେଳେ ଧାନ ଠିକ୍ ସମୟରେ ମିଲର ନେଉନଥିବାରୁ ଧାନ ମଣ୍ଡିରେ ପଡ଼ି ରହୁଥିବାରୁ ମଣ୍ଡି ଆଉ ଧାନ କିଣି ପାରୁନି । ଆଉ କେତେକ ମଣ୍ଡିରେ କଟନି ଛଟନିକୁ ନେଇ ମଧ୍ୟ ବିବାଦ ଦେଖାଦେଉଛି । ଯାହାଫଳରେ ଚାଷୀମାନେ ଧାନ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଜଣାପଡ଼ିଛି ।
