ଚଳିତ ବର୍ଷ ୧୪ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହେବ
୪୮ ଘଂଟା ମଧ୍ୟରେ ଦେୟ ପୈଠ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ୨୦୨୧-୨୨ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଏଥିନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସାଟେଲାଇଟ୍ ଚିତ୍ର ଏବଂ କ୍ଷେତ୍ରସ୍ତରୀୟ ସତ୍ୟାପନ ମାଧ୍ୟମରେ ଯୋଗ୍ୟ ବିବେଚିତ ସମସ୍ତ ଚାଷୀଙ୍କଠାରୁ ଧାନ କିଣିବାକୁ ଏବଂ ଧାନ କିଣାର ୨୪ ରୁ ୪୮ ଘଂଟା ମଧ୍ୟରେ ଦେୟ ପୈଠ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଚଳିତ ରବିଋତୁରେ ଅଧିକ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ଧାନ ସଂଗ୍ରହ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାନ ସଂଗ୍ରହ ଓ ଦେୟ ପୈଠ ପାଇଁ ଯଥାକ୍ରମେ ପି-ପାସ୍ ଏବଂ ଆଇ.ଏଫ୍.ଏମ୍.ଏସ୍. ଅନ୍ଲାଇନ୍ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ ।ଚଳିତ ବର୍ଷ ରବିଋତୁରେ ୧୪ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ମେ ୧ ତାରିଖ ଠାରୁ ଜୁନ୍ ୩୦ ତାରିଖ ମଧ୍ୟରେ ଧାନ ସଂଗ୍ରହ କରାଯିବ । ସର୍ବ ପ୍ରଥମେ ମେ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ରବି ଧାନର କ୍ୱିଂଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାରେ ଧାର୍ଯ୍ୟ କରାଯାଇଥିଲା । ମୁଖ୍ୟତଃ ୧୭ ଟି ଜିଲ୍ଲାର ଜଳସେଚିତ ଅଂଚଳର କୃଷକମାନଙ୍କ ଠାରୁ ଜଳସେଚନ ତଥ୍ୟନୁଯାୟୀ ଏକର ପିଛା ୨୪ ରୁ ୨୬ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯିବ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଜଣାଇଥିଲେ ଯେ ଚଳିତ ରବିଋତୁରେ ଧାନ ବିକ୍ରୀ ପାଇଁ ୨.୫୮ ଲକ୍ଷ ଚାଷୀ୭.୬୨ ଲକ୍ଷ ଏକର ଜମି ପଂଜୀକରଣ କରିଛନ୍ତି । ଗତ ୨୦୨୦-୨୧ ବର୍ଷରେ ସମୁଦାୟ ୨.୩୩ ଲକ୍ଷ ଚାଷୀ ନିଜର ୭.୬୦ ଲକ୍ଷ ଏକର ଜମି ରବି ଧାନ ବିକ୍ରୀ ନିମନ୍ତେ ପଂଜୀକରଣ କରିଥିଲେ । ୨୦୨୦-୨୧ ବର୍ଷରେ ୪.୫୧ ଲକ୍ଷ ନାମକୁ ମାତ୍ର ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ଏହା ୬.୨୨ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି କ୍ଷୁଦ୍ର ଚାଷୀଙ୍କ ପଂଜୀକରଣ ମଧ୍ୟ ଚଳିତ ବର୍ଷ ୪.୫୬ ଲକ୍ଷରୁ ଚଳିତ ବର୍ଷ ୪.୭୦ କୁ ବୃଦ୍ଧି ପାଇଛି । ପଂଜୀକୃତ ଚାଷୀଙ୍କ ମଧ୍ୟରେ ପ୍ରାୟ ୨୨,୨୨୮ ଜଣ ଭାଗ-ଚାଷୀ ଅଛନ୍ତି । ଧାନ କିଣାରେ ଅଂଶଗ୍ରହଣ ପାଇଁ ପଂଜୀକୃତ କରିଥିବା ୧୨୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯିବ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଛଡା ପ୍ରାୟ ୮୧୭ ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ସଂଗ୍ରହରେ ସାମିଲ ହେବେ । ଓଡ଼ିଶା ରାଜ୍ୟ ସାଧାରଣ ଯୋଗାଣ ନିଗମଙ୍କ ତରଫରୁ ଏହି ସମିତି ଏବଂ ମହିଳା ଗୋଷ୍ଠୀମାନେ ଧାନ ସଂଗ୍ରହ କରିବେ । ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ଧାନ କିଣା ବିଷୟରେ ସଂପୃକ୍ତ ମିଶନ ଶକ୍ତି ଗ୍ରୁପ୍ ଏବଂ ସମବାୟ ସମିତିର ଧାନ କିଣା ଅଫିସର ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ତାଲିମ ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ କହିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମବାୟ ବିଭାଗ ଶାସନ ସଚିବ ସଂଜୀବ ଚଢ଼ା, ମିଶନ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତିକେୟାନ, ରାଜ୍ୟ ସାଧାରଣ ଯୋଗାଣ ନିଗମ ଅଧ୍ୟକ୍ଷଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
