ଚିଲିକା ଡଙ୍ଗା ବୁଡି ଘଟଣା : ମିଳିଲା ନିଖୋଜଙ୍କ ମୃତଦେହ
ଭୁବନେଶ୍ୱର : ଚିଲିକା ଡଙ୍ଗା ବୁଡି ଘଟଣାରେ ମିଳିଲା ନିଖୋଜଙ୍କ ମୃତଦେହ । ଦୀର୍ଘ ସମୟର ଅପେରେସନ୍ ପରେ ଶୁକ୍ରବାର ଚିଲିକା ଖାରିବନ୍ଧ ନିକଟରୁ ରାଜେନ୍ଦ୍ର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଯେ, ଗତ ଗୁରୁବାର ଅପରାହ୍ନରେ ଚିଲିକାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ବୁଡି ଯାଇଥିଲା । ଏହି ଡଙ୍ଗାରେ ଥିଲେ ୮ ଜଣ ପର୍ଯ୍ୟଟକ (ଯାତ୍ରୀ), ୨ଜଣ ନାବୀକ ଏବଂ ଚିଲିକା ମଧ୍ୟରେ ଥିବା ମା’ କାଳିଜାଇ ଙ୍କ ପୀଠରେ ବ୍ୟବସାୟ କରୁଥିବା ୨ ଜଣ ସ୍ଥାନୀୟ ବାସିନ୍ଦା । ମା’ କାଳିଜାଈଙ୍କ ପୀଠରୁ ଏହି ଡଙ୍ଗାଟି ବାଲୁଗାଁ ଅଭିମୁଖେ ଫେରୁଥିବା ବେଳେ ହଠାତ୍ କାଳ ବୈଶାଖୀ ଝଡ ଆରମ୍ଭ ହୋଇଥିଲା । ତାହାର ପ୍ରଭାବରେ ଡଙ୍ଗାଟି ଚିଲିକା ମଧ୍ୟରେ ବୁଡି ଯାଇଥିଲା । ଏହି ସମୟରେ ବଡ଼କୂଳଠାରେ ଏକ କାର୍ଯ୍ୟକ୍ରମରେ ଥିଲେ ପୁଲିସ୍ ଅଧିକାରୀମାନେ । ସଙ୍ଗେ ସଙ୍ଗେ ଏସ୍ଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନାଧିକାରୀ ରମାକାନ୍ତ ମହାଲିକ ଏବଂ ବାଲୁଗାଁ ପୁଲିସର ଅନ୍ୟ ଜଣେ ଏସ୍ଆଇ, ଓଟିଡିସିର ୪ଜଣ କର୍ମଚାରୀ, ୪ ଜଣ ନୌସେନା ଯବାନ ଓ ଜଣେ ଡାକ୍ତରଖାନା କର୍ମଚାରୀ ଘଟଣାସ୍ଥଳକୁ ଅନ୍ୟ ଏକ ମୋଟର ଡଙ୍ଗାରେ ପହଞ୍ଚିଥିଲେ । ପର୍ଯ୍ୟଟକଙ୍କ ମଧ୍ୟରୁ କେତେକ ଗଭୀର ଜଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଆଉ କେତେକ ପହଁରି ପହଁରି ଚଢ଼େଇଗୁହା ପାହାଡ଼କୁ ଚାଲିଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ମାତ୍ର ରାଜେନ୍ଦ୍ର ଖୁଣ୍ଟିଆ ନିଖୋଜ ହୋଇଯାଇଥିଲେ । ବହୁ ଚେଷ୍ଟା ପରେ ତାଙ୍କର ପତ୍ତା ମିଳିନଥିବା ଏସଡିପିଓ ଶ୍ରୀ ବାରିକ୍ କହିଥିଲେ ।
