ହୋ-ହଲ୍ଲା ମଧ୍ୟରେ ସରିଲା ବାଲିଆପାଳ ପଞ୍ଚାୟତ ସମିତିର ତୃତୀୟ ବୈଠକ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ବାଲିଆପାଳ ପଞ୍ଚାୟତ ସମିତିର ତୃତୀୟ ବୈଠକ ହୋ-ହଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗୃହ ଆରମ୍ଭରେ ପ୍ରଥମେ ଖାଉଟି ଓ ଯୋଗାଣ ବିଭାଗର ଆଲୋଚନରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଯୋଗ୍ୟ ହିତାଧିକାରୀ ରାସନ ପାଉନଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀ କଳ କୌଶଳ କରି ରାସନକାର୍ଡ଼ ହାତେଇଥିବା ନେଇ ବହୁ ବାକ୍ବିତଣ୍ଡା ଲାଗିଥିଲା ।
ଅଯୋଗ୍ୟ ହିତାଧିକାରୀ କଳ କୌଶଳ କରି ରାସନ କାର୍ଡ଼ ହାତେଇଥିବା କଥା ଉପରେ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ କହିଥିଲେ । ଯେତିକି ଯୋଗ୍ୟ ହିତାଧିକାରୀ ରେଶନ ପାଇବାରୁ ବଞ୍ଚିତ ଅଛନ୍ତି ତା’ଠାରୁ ଅଧିକ ଅଯୋଗ୍ୟ ହିତାଧୀକାରୀ ଅନ୍ୟାୟ ଭାବେ ରାସନ ପାଉଛନ୍ତି । ବିଭିନ୍ନ ସମୟରେ ନୂଆ ରାସନ ପାଇଁ ତଦନ୍ତ କରାଇବାକୁ ଯାଇ ସେ ବହୁ ଅଯୋଗ୍ୟ ହିତାଧୀକାରୀ ରାସନ ପାଉଛନ୍ତି ବୋଲି ସୂଚନା ପାଇଛନ୍ତି । ଯଦି ସମସ୍ତ ନିର୍ବାଚିତ ପ୍ରତିନିଧି ସରପଞ୍ଚ, ସମିତିସଦସ୍ୟ, ଜିଲାପରିଷଦ ସଦସ୍ୟ ମାନେ ତଦନ୍ତରେ ସହଯୋଗ କରିବେ ତା’ହେଲେ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇ ବାକି ଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ଼ରେ ସଂଯୋଗ ହୋଇପାରିବ । ଯାହା ଦ୍ୱାରା ବାଲିଆପାଳ ବ୍ଲକରେ ଯୋଗ୍ୟ ହିତାଧୀକାରୀ ରାସନ ପାଇବାରୁ ବଞ୍ôଚତ ହେବେ ନାହିଁ । ଅନ୍ୟ ଏଜେଣ୍ଡା ମଧ୍ୟରେ ୨୦୨୧-୨୦୨୨ର ଏସ୍ଏଫ୍ସି ଓ ସିଏଫ୍ସି ମଞ୍ଜୁରୀ, ୨୦୨୧-୨୦୨୨ ରେ ହେଭି ରେନ୍ଫଲ ପ୍ରୋଜେକ୍ଟ ଏବଂ ୨୦୨୨-୨୦୨୩ ପ୍ରୋଜେକ୍ଟ ବିଷୟରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଏଜେଣ୍ଡା ଉପରେ ଆଲୋଚନା ସମୟରେ ହୋ-ହଲ୍ଲା ପିଛା ଛାଡ଼ି ନଥିଲା । ଏଫ୍ଡିଆର୍ କାମକୁ ସରପଞ୍ଚମାନେ ସମିତିସଦସ୍ୟ ଓ ଜିଲାପରିଷଦ ସଦଦ୍ୟଙ୍କୁ ସାମିଲ୍ ନ କରି ନିଜ ଇଛା ମୁତାବକ କାର୍ଯ୍ୟ କରୁଥିବା ନେଇ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଏ ବିଷୟରେ ଆଲୋଚନା କରାଯାଇ ସରପଞ୍ଚ ୪୦ ଭାଗ, ସମିତିସଦସ୍ୟ ୪୦ ଭାଗ ଏବଂ ଜିଲାପରିଷଦ ସଦସ୍ୟମାନେ ୨୦ ଭାଗ କାମ ପାଇଁ ସୁପାରିଶ କରିପାରିବାର ସିଦ୍ଧାନ୍ତରେ ଏ ବିଷୟରେ ଶାନ୍ତ ପଡ଼ିଥିଲା । ବୈଠକରେ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲିଆପାଳ ବିଡ଼ିଓ ବିନୋଦ କୁମାର ପଣ୍ଡା, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବାଲିଆପାଳ ବ୍ଲକ ସହକାରୀ ଯନ୍ତ୍ରୀ ଗିରିଜା ପ୍ରଧାନ, ବାଲେଶ୍ୱର ଏମ୍ପିଙ୍କ ପ୍ରତିନିଧି ମହେଶ୍ୱର ଜେନା, ଜିଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ୨୩ ନଂ. ଜୋନ୍ର ଜିଲା ପରିଷଦ ସଦସ୍ୟ ବେଣୁଧର ଜେନା, ୨୨ନଂ. ଜୋନ୍ର ଜିଲାପରିଷଦ ସଦସ୍ୟ ନିଶାକର ସେଠୀ, ୨୧ନଂ. ଜୋନ୍ର ଜିଲାପରିଷଦ ସଦସ୍ୟା କାଞ୍ଚନବାଳା ଜେନାଙ୍କ ସହିତ ସମସ୍ତ ସରପଞ୍ଚ ଓ ସମିତିସଦସ୍ୟଙ୍କ ସହିତ ବ୍ଲକର ସମସ୍ତ ଲାଇନ ବିଭାଗର ଅଫିସରମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଜିପିଇଓ ରାମଚନ୍ଦ୍ର ମାରାଣ୍ଡି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ।
