ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ବର୍ଗର ଖୋ-ଖୋ ଟୁର୍ଣ୍ଣାମେଣ୍ଟ : ଯୋଗଦେଲେ ୩୫ରୁ ଉର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଠାରେ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ବର୍ଗର ଖୋ-ଖୋ ଖେଳ ବୁଧବାର ଉଦ୍ଘାଟିତ ହୋଇଛି । ଏଥିରେ ପୂର୍ବ ଭାରତର ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି । ଆସନ୍ତା ୧୬ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଯାପନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରି ଖେଳ ମାଧ୍ୟମରେ ନିଜନିଜର ପ୍ରତିଭା ପ୍ରଦର୍ଶନ କରି ନିଜର ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବା ଓ ଜନ୍ମମାଟିର ଟେକ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଖେଳ ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ଖେଳାଳିଙ୍କୁ ଉଭୟ ମାନସିକ ଓ ଶାରୀରିକ ଭାବରେ ସୁଦୃଢ଼ କରିବା ସହିତ ସେମାନଙ୍କ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିଥାଏ ବୋଲି ପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ ଚନ୍ଦ୍ର ଅଧିକାରୀ ଖେଳ କେବଳ ପ୍ରତିଭା ବିକାଶ କରେ ନାହିଁ ବରଂ ଦେଶର ବିଭିନ୍ନ ପ୍ରାନ୍ତଃରୁ ଖେଳାଳିମାନେ ଗୋଟିଏ ବିନ୍ଦୁରେ ସମବେତ ହେଉଥିବା ହେତୁ ପରସ୍ପରର ମଧ୍ୟରେ ସଂହତି ଓ ଭ୍ରାତୁର୍ଭାବ ସୃଷ୍ଟି ନିମତ୍ତ ମଧ୍ୟ ଏହା ବିଶେଷ ସହାୟକ ହୋଇଥାଏ । ଫଳତଃ ଏକ ଗଠନାତ୍ମକ ବିଚାରଧାରା ନେଇ ଖେଳାଳିମାନେ ନିଜନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବା ସର୍ବାପେକ୍ଷା ଗୁରୁତ୍ୱ ରଖେ ବୋଲି ମତ ଦେଇଥିଲେ । କୁଳସଚିବ କୁକୁମୀନା ଦାସ ଖୋ-ଖୋ ଅତ୍ୟନ୍ତ ନିଆରା ଢଙ୍ଗର ଏକ ଖେଳ, ଏଥିରେ ଶାରୀରିକ ବଳ ସହିତ ବୁଦ୍ଧି ପ୍ରୟୋଗ କରିବାର ଆବଶ୍ୟକତା ସମାନ୍ତରାଳ ଭାବରେ ଦେଖିବାକୁ ମିଳୁଥିବା ହେତୁ ଏହା ବେଶ୍ ଉତ୍କଣ୍ଠାପ୍ରଦ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ. ଭାସ୍କର ବେହେରା ସମସ୍ତ ଖେଳାଳି ନିଜ ନିଜ ଦଳ ପାଇଁ ଆପଣାର ଶ୍ରେଷ୍ଠ ଅବଦାନ ଦେବାର ମାନସିକତା ନେଇ ଖେଳିବା ଉଚିତ୍ । ଏହି ଖୋ-ଖୋ ଟୁର୍ଣ୍ଣାମେଣ୍ଟଟି ବିଶେଷତଃ ମହିଳା ବର୍ଗରେ ଅନୁଷ୍ଠିତ ହେଉଥିବା ହେତୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ତଥା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ବିଭିନ୍ନ ଖେଳରେ ଭାରତୀୟ ମହିଳାମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରୁଥିବାର ଲକ୍ଷ୍ୟ କରାଯାଉଛି । ଏହି ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଜରିଆରେ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖେଳିବା ପାଇଁ ସାମର୍ଥ୍ୟ ରଖୁଥିବା ପ୍ରତିଭାମାନଙ୍କୁ ଖୋଜି ବାହାର କରିବାର ଲକ୍ଷ୍ୟ ରହିଛି ବୋଲି ମତ ପ୍ରକାଶ ପାଇଥିଲା ।
