ହାତୀ ଘଉଡାଇବା ବେଳେ ଅଘଟଣ : ଯୁବକଙ୍କୁ ଦଳିଦେଲା ଦନ୍ତା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକ ମୃତ। ମୃତକ ହେଲେ ନିକୁଲାସ ଜୋଜୋ (୩୪) । ଶୁକ୍ରବାର ରାତିରେ ଏକ ହାତୀ ଗୋଷ୍ଠି ତେନ୍ତୁଲିଧରା ଗ୍ରାମରେ ପ୍ରବେଶ କରି ସେହି ଅଞ୍ଚଳରେ ଅନେକ ଫସଲ ନଷ୍ଟ କରିଦେଇଥିଲେ। ଏହି ସମୟରେ ସେ ଅନ୍ୟ ଗ୍ରାମବାସୀଙ୍କ ସହ ହାତୀ ମାନଙ୍କୁ ଗାଁରୁ ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ନିକୁଲାସଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ସୂଚନା ଯେ, ଗତ କିଛି ଦିନ ହେବ ରାଉଲଡେଗା ବନଖଣ୍ଡ ଅଧିନରେ ଥିବା କିରାଲଗା ଜବତି ଜଙ୍ଗଲ, ହୁଟୁପାନି ଓ ଜଙ୍ଗଲପଡ଼ାରେ ୨୦ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛି । ପୁରା ଅଞ୍ଚଳରେ ହାତୀଙ୍କ ଉପଦ୍ରବରେ ଅନେକ ଫସଲ ନଷ୍ଟ ହେଉଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ତେବେ ଗତକାଲି ହାତୀ ଘଉଡାଇବା ସମୟରେ ନିକୁଲାସ ହାତୀ ସାମ୍ନାରେ ପଡିଯାଇଥିଲେ । ଯାହାଫଳରେ ନିକୁଲାସଙ୍କୁ ହାତୀ କଚାଡି ଦେଇଥିଲା । ନିକୁଲାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ନିକୁଲାସଙ୍କୁ ବୁର୍ଲା ନେବାର ମୃତ୍ୟୁ ହୋଇଯାଇଛି । ବାରମ୍ବାର ପୁରା ଅଞ୍ଚଳରେ ହାତୀପଲଙ୍କ ଏପରି ଉପଦ୍ରବ ନେଇ ଲୋକେ ଅଶାନ୍ତି ଥିବା ଜଣାପଡିଛି ।
