ଜଙ୍ଗଲରୁ କାଠ ଆଣି ଫେରୁଥିବା ବେଳେ ମହୁମାଛି କଲା ଆକ୍ରମଣ, ବାପ-ଝିଅ ମୃତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ପାନପୋଷ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ମହୁମାଛି ଆକ୍ରମଣରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୁରୁ ବନଛୋର (୬୫) ଓ ଝିଅ ମିନା ବନଛୋର (୨୬) ବୋଲି ଜଣାପଡିଛି ।
ସୂଚନା ଯେ, ରାଜଗାଙ୍ଗପୁର ବ୍ଲକର ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡା ଠାରେ ଥିବା ପାନପୋଷ ଉଚ୍ଚ ବିଦ୍ୟାଳୟ ନିକଟରେ ମହୁମାଛି ବସା ବାନ୍ଧି ଥିଲେ । ଗତ ରବିବାର ଦିନ ବାପା ଝିଅ ଦୁହେଁ ଜଙ୍ଗଲକୁ କାଠ ଆଣିବାକୁ ଯାଇ ଫେରୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଯାହାଫଳରେ ବାପ-ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ପ୍ରଥମେ ଗୁରୁଙ୍କ ମୃତ୍ୟୁ ହୋଇଥିବା ବେଳେ ରାତିରେ ଝିଅ ମିନାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁର ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି ହୋଇଯାଇଛି ।
