ବିର୍ଶାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ
ଜଳେଶ୍ୱର : ସ୍ୱାଧିନତାର ୭୫ବର୍ଷରେ ଆଦିବାସୀଙ୍କ ଉନ୍ନତି ଓ ବିକାଶ ସମ୍ପର୍କରେ କୌଣସି ସରକାର ଚିନ୍ତା କରିନଥିବା ବେଳେ କେନ୍ଦ୍ରରେ ଭାଜପାର ୧୩ବର୍ଷ ସରକାର ମଧ୍ୟରେ ସେମାନଙ୍କ ଉନ୍ନତି ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସେମାନଙ୍କର ଶିକ୍ଷା ଓ ସାମଗ୍ରିକ ବିକାଶ ବିନା ଜାତୀୟ ବିକାଶ ଅସମ୍ଭବ । ଏଥିଲାଗି ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରକାଶ କରିଛନ୍ତି ।
ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଆଦିବାସୀ ଅଧ୍ୟୁଷିତ ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆ ମାଝିସାହି ପଞ୍ଚାୟତର ଆଡ଼ିଆସାହି ଠାରେ ବୀର ବିର୍ଶାମୁଣ୍ଡାଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ କେନ୍ଦ୍ର ଆଦିବାସୀ ବିଭାଗର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଉଦ୍ଘାଟକ ଭାବେ ଯୋଗ ଦେଇ ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ଅଟଳବିହାରୀ ବାଜପେୟୀଙ୍କ ୬ବର୍ଷ ଓ ନରେନ୍ଦ୍ର ମୋଦିଙ୍କ ୭ବର୍ଷ ଶାସନକାଳରେ ଆଦିବାସୀଙ୍କ ଶିକ୍ଷା ଓ ସାମଗ୍ରୀକ ବିକାଶ ଘଟିଥିବାର କହିଛନ୍ତି । ଏକ ସ୍ୱତନ୍ତ୍ର ବିଭାଗ ଖୋଲି ଜୁଏଲ ଓରାମଙ୍କୁ ମନ୍ତ୍ରୀଭାବେ ଅବସ୍ଥାପିତ କରିବା, ଝାଡ଼ଖଣ୍ଡ ପ୍ରଦେଶକୁ ରାଜ୍ୟର ମାନ୍ୟତା ଦେବା, ବାବୁଲାଲ ମାରାଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀ କରିବା ଓ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଭାବେ ଅବସ୍ଥାପିତ କରିବା ସହିତ ଗତ ନଭେମ୍ବର ୧୫ ତାରିଖକୁ ଜନଜାତି ଗୌରବ ଦିବସ ଭାବେ ଘୋଷଣା କରିବା ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ । ଆଦିବାସୀଙ୍କ ଶିକ୍ଷାର ବିକାଶ ଲାଗି ୮୭ଟି ଏକଲବ୍ୟ ବିଦ୍ୟାଳୟ ଏବଂ ବିକାଶ ଲାଗି ୩୩୭୩ କୋଟି ଟଙ୍କା ବ୍ୟବସ୍ଥା ସଂପର୍କରେ କହିଥିଲେ । ରାଇବଣିଆ ଅଞ୍ଚଳରେ ଆବାସିକ ବିଦ୍ୟାଳୟ, ଶୀତଳ ଭଣ୍ଡାର ପ୍ରତିଷ୍ଠା, ଓଲଚିକିର ଜନକ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଲାଗି ଚେଷ୍ଟିତ ହେବା ସମ୍ପର୍କରେ କହିଥିଲେ । ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ବ୍ରିଟିସ୍ ଶାସନକାଳରେ ଆଦିବାସୀ ନେତା ବିର୍ଶାମୁଣ୍ଡା, ବକ୍ସିଜଗବନ୍ଧୁ, ଜୟୀରାଜଗୁରୁଙ୍କର ସଂଗ୍ରାମକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ବୋଲି କହାଯାଉଥିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେମାନଙ୍କ ସଂସ୍କୃତି ସୁରକ୍ଷା ଲାଗି ଏକ ଏକାଡ଼େମୀ ପ୍ରତିଷ୍ଠା ଲାଗି ଉଦ୍ୟମ ହେବା ସଂପର୍କରେ କହିଥିଲେ । ବିର୍ଶାମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ବିପ୍ଳବ କୁମାର ପ୍ରଧାନଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ଶାନ୍ତନୁ ପଟ୍ଟନାୟକ ବକ୍ତବ୍ୟ ରଖିଥିବା ବେଳେ ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ଅରୁଣ ବେଜ, ଫାଲଗୁନୀ ପାଣିଗ୍ରାହୀ, ସୁମତୀ ଦେ, ସାବିତ୍ରୀ ଜେନା ମଞ୍ଚାସୀନ ଥିଲେ । ପୂର୍ବତନ ସାମରିକ କର୍ମଚାରୀ ରାଜେନ୍ଦ୍ର ସିଂ ଧନ୍ୟବାଦ ଦେବା ସହ ଆଦିବାସୀଙ୍କ ଛାତ୍ରୀଛାତ୍ରଙ୍କ ଲାଗି ସେବାଶ୍ରମ ପ୍ରତିଷ୍ଠା ଓ ରାଖାଲ ଚନ୍ଦ୍ର ସିଂଙ୍କ ପ୍ରତିମୂର୍ତ୍ତି ଲାଗି ଦାବି କରିଥିଲେ ।
