ଖସୁଛି ଅତଡ଼ା, ଟଳମଳ ସଜନାଗଡ଼ ଘାଘରା ପୋଲ
ନୀଳଗିରି : ସଜନାଗଡ଼ ଘାଘରା ନଦୀ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲା ସେରଗଡ଼ ଭାୟା–ନୀଳଗିରି, ଉଦଳା, ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ୧୯ନଂ. ରାଜ୍ୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ପୋଲ ନିର୍ମାଣ ଲାଗି ୨ ବର୍ଷ ପୂର୍ବରୁ ଶିଳାନ୍ୟାସ କରାଯାଇଥିଲା । ମାତ୍ର ସମ୍ପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟକୁ କରୁନଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍ ପରେ କିଛି ଦିନ ହେବ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଚିନ୍ତା ଓ ପରିତାପର ବିଷୟ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ପୁରୁଣା ପୋଲ ପାର୍ଶ୍ୱରେ ନୂତନ କାର୍ଯ୍ୟ ପାଇଁ ଠିକାଦାର ଜେସିବି ଲଗାଇ ମାଟି ତାଡ଼ି ଦେବାରୁ ମାଟି ଅତଡ଼ା ଖସିଯାଇଛି । ଉକ୍ତ ପୋଲ ଉପରେ ପ୍ରତିଦିନ ଶହ ଶହ ଭାରିଯାନ ଯାତାୟାତ କରୁଥିବା ଯୋଗୁଁ ଉଭୟ ଗାଡ଼ି ଓ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ରହୁଛି । ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରା ନଗଲେ କେଉଁ ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିବା ନିଃସନ୍ଦେହ । ଏଭଳି ଘଟଣାକୁ ନେଇ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି । କୌଣସି ବଡ଼ ଦୁର୍ଘଟଣା ପୂର୍ବରୁ ପୂର୍ତ୍ତ ବିଭାଗ ଘଟଣାକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
ସୂଚନା ଥାଉକି ଗତ ତିନିଦିନ ପୂର୍ବରୁ ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୁଳ ଗ୍ରାମର ଦୀପ୍ତିକାନ୍ତ ସେନାପତି (୩୫) ଉକ୍ତ ପୋଲ ନିକଟରେ ଭାରସାମ୍ୟ ହରାଇ ନୂତନ ଭାବେ ନିର୍ମିତ ହୋଇଥିବା ହମ୍ପସ ଉପରେ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ପରିବାର ଲୋକେ ପ୍ରଥମେ ନୀଳଗିରି ହସ୍ପିଟାଲ ପରେ ବାଲେଶ୍ୱର ଓ ଅବସ୍ଥା ଗୁରୁତର ହେବାରୁ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଚିକିତ୍ସା ଜାରି ରହିଛି । ପୂର୍ବରୁ ଉକ୍ତ ରାସ୍ତାରେ ୮ / ୧୦ଟି ଦୁର୍ଘଟଣା ଘଟିଲାଣି । ଠିକାଦାର ରାସ୍ତାର ଗୋଟିଏ ପାର୍ଶ୍ୱରେ କେବଳ ନାଲି ପତାକା ମାରି ହାତଟେକି ଦେଇଥିବାର ଦେଖିବାକୁ ମିଳିଛି ।
