ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମ୍ୟାଚ୍ ଜିତିବା ଦଳକୁ ମିଳିବ ପ୍ରାୟ ୧୨କୋଟି ଟଙ୍କା ପୁରସ୍କାର ରାଶି
ସାଉଥମ୍ପଟନ : ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲ ମ୍ୟାଚ୍କୁ ମାତ୍ର ୪ ଦିନ ବାକି ରହିଛି। ବିଶ୍ଵର ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ହାଇଭୋଲେଟ୍ ମୁକାବିଲା ଉପରେ ରହିଛି। ଅନ୍ୟପଟେ ଟାଇଟଲ୍ ମୁକାବିଲା ଜିତିବା ଦଳ ଉପରେ ହେବ ଧନବର୍ଷା। ଆଇସିସିର ସିଇଓ ଜ୍ୟୋଫ ଆଲାର୍ଡିସ୍ ଘୋଷଣା କରିଛନ୍ତି ଯେ, ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମ୍ୟାଚ୍ ଜିତିବା ଦଳକୁ ପ୍ରାୟ ୧୨ କୋଟି ଟଙ୍କା ପୁରସ୍କାର ରାଶି ଭାବେ ମିଳିବ। ସେହି ପରି ଉପ ବିଜେତା ଦଳକୁ ପ୍ରାୟ ୬ କୋଟି ଟଙ୍କା ମିଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଉଭୟ ଦଳ ଇଂଲଣ୍ଡରେ ନିଜ ନିଜର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି।
ଆଇସିସି ଅନୁଯାୟୀ, ଯଦି ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଡ୍ର ରହେ ତେବେ ମୋଟ୍ ଧନରାଶିକୁ ଦୁଇ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ। ଭାରତୀୟ ଦଳ ଘରୋଇ ମାଟିରେ ଇଂଲଣ୍ଡକୁ ୩-୧ରେ ପରାଜିତ କରି ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ରଦ୍ଦ ହେବା କାରଣରୁ ନ୍ୟୁଜିଲାଣ୍ଡ ଦଳକୁ ସିଧାସଳଖ ଫାଇନାଲ୍ରେ ପ୍ରବେଶ ମିଳିଥିଲା। ସଂପ୍ରତି ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି କିଓ୍ଵି ଦଳ ନିଜର ପ୍ରସ୍ତୁତି କରିଛି। ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡକୁ ଟେଷ୍ଟ ସିରିଜ୍ରେ ୧-୦ରେ ହରାଇ ଟେଷ୍ଟ ମାନ୍ୟତାର ଶୀର୍ଷକୁ ଉଠିଛି। ଫାଇନାଲ୍ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ବଡ ସଫଳତା ହାସଲ କରି ମାନସିକ ଭାବେ ମଜବୁତ ରହିଛି। ଅନ୍ୟପଟେ ଭାରତୀୟ ଦଳ କ୍ଵାରେଣ୍ଟାଇନ୍ ଅବଧି ସରିବା ପରେ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ ଖେଳି ନିଜର ପ୍ରସ୍ତୁତି ଚଳାଇଛି ।
